କିଏ ପାଉଛି ସହାୟତା, କିଏ ବର୍ଷ ବର୍ଷ ଧରି ଅପେକ୍ଷାରେ!
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଗରିବ ଓ ଅସହାୟ ପରିବାରଙ୍କ ଆର୍ଥିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଚାଲୁ ରହିଛି। ହେଲେ ଏହି ଯୋଜନାଗୁଡ଼ିକର ସୁଫଳ ପାଇବାରେ ଯୋଗ୍ୟ ହିତାଧିକାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ପାଇକମାଳ ବ୍ଲକରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଶେଷକରି ସ୍ୱାମୀଙ୍କୁ ହରାଇଥିବା ଗରିବ ମହିଳାଙ୍କ ପାଇଁ ଏହି ଯୋଜନା ଏକ ଆଶାର କିରଣ ପାଲଟିଥିବା ବେଳେ କେତେକ ଯୋଗ୍ୟ ହିତାଧିକାରୀ ଦୀର୍ଘ ସମୟ ଧରି ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଛି। ନିୟମ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମିଳିବା କଥା। ମାତ୍ର କେତେକ ହିତାଧିକାରୀ ଅପେକ୍ଷାକୃତ କମ୍ ସମୟରେ ସହାୟତା ପାଉଥିବା ବେଳେ ଆଉ କେତେକ ହିତାଧିକାରୀ ୩ରୁ ୪ ବର୍ଷ ଧରି ଅପେକ୍ଷା କରି ମଧ୍ୟ ସହାୟତା ପାଇପାରୁନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାମାଜିକ କର୍ମୀ ଦୀପା ବାରିକଙ୍କ କହିବା ଅନୁଯାୟୀ, ଟେମରୀ ଗାଁର ଦେମତୀ ବାଗ ଏହି ଯୋଜନାରେ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନ ଖାରଜ ହୋଇଥିବା ଅଭିଯୋଗ ରହିଛି। ସେହିପରି ସେହି ଗାଁର ସଂଯୁକ୍ତା ବନଛୋର ମଧ୍ୟ ଯୋଗ୍ୟତା ଥିବା ସତ୍ତ୍ୱେ ତାଙ୍କ ଆବେଦନ ଖାରଜ ହୋଇଥିବା ଅଭିଯୋଗ କରିଛନ୍ତି। ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଜାମସେଠ ଗାଁର ଦମୟନ୍ତୀ ତାଣ୍ଡିଙ୍କ ଅଭିଯୋଗ ମଧ୍ୟ ଏହିପରି। ସେ ଯୋଜନାରେ ସହାୟତା ପାଇଁ ଆବେଦନ କରିବାର ପ୍ରାୟ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ଆର୍ଥିକ ସହାୟତା ପାଇନଥିବା କହିଛନ୍ତି। ଏନେଇ ସେ ଦୁଇ ଥର ବ୍ଲକସ୍ତରୀୟ ଜନଶୁଣାଣିରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି। ଶେଷରେ ସହାୟତା ନମିଳିବାରୁ ସେ ନିରାଶ ହୋଇପଡ଼ିଥିବା କୁହାଯାଉଛି। ଜାମସେଠ ଗାଁର ଶ୍ରୀମତୀ ବରିହାଙ୍କ ମଧ୍ୟ ସମାନ ଅଭିଯୋଗ ରହିଛି।

ଏମାନଙ୍କ ବ୍ୟତୀତ ଭେଙ୍ଗରାଜପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ମାଳି ବରିହା, ମଳଦା ଗାଁର ଗୀତାଞ୍ଜଳି ପ୍ରଧାନ, କେରମେଲାବାହାଲ ପଞ୍ଚାୟତ ଖାନ୍ଦାସିବାଞ୍ଜି ଗାଁର ଖିରୋଦିନ ମୁଟୁକିଆ, ପଲସଦା ପଞ୍ଚାୟତ ବୋଡ଼ାସମ୍ବର ଗାଁର ମିନାକ୍ଷୀ ସୁନା ଏବଂ ଛେତଗାଁ ପଞ୍ଚାୟତ ଛେତଗାଁର ଅଞ୍ଜଳି ବିଛି ପ୍ରମୁଖ ଦୀର୍ଘ ସମୟ ଧରି ଏହି ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।ଅନ୍ୟପକ୍ଷରେ, ଆବେଦନ ପ୍ରକ୍ରିୟା ପାଇଁ ଗରିବ ଲୋକଙ୍କୁ ଅନଲାଇନ୍ କେନ୍ଦ୍ରକୁ ଯାଇ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାପରେ ମଧ୍ୟ ଆବେଦନ ବାରମ୍ବାର ଖାରଜ ହେଲେ ହିତାଧିକାରୀମାନେ ମାନସିକ ଭାବେ ନିରାଶ ହେବା ସହ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ବୋଲି ଅଭିଯୋଗ ରହିଛି।ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କ ଆବେଦନ କାହିଁକି ଖାରଜ ହେଉଛି, ତାହାର କାରଣ ଯାଞ୍ଚ କରିବା ସହ ଦୀର୍ଘଦିନ ଧରି ଅପେକ୍ଷାରତ ହିତାଧିକାରୀଙ୍କୁ ଶୀଘ୍ର ସହାୟତା ପ୍ରଦାନ କରିବାକୁ ସମାଜକର୍ମୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଯୋଜନାରେ ସ୍ୱଚ୍ଛତା ଓ ସମାନତା ବଜାୟ ରଖି ଯୋଗ୍ୟ ସମସ୍ତ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିବା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।