ବିପଦସଙ୍କୁଳ ଅବସ୍ଥାରେ ପାଠ ପଢ଼ି ଯାଉଛନ୍ତି ଛାତ୍ରଛାତ୍ରୀ

222

ଖରାମାଲ-ଭେରୁଆମୁଣ୍ଡା କଚ୍ଚା ରାସ୍ତାରେ ଘାଇ, ପ୍ରଶାସନର ଦୃଷ୍ଟି ଦାବି

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ମାଡ଼ିଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହିପରି ସ୍ଥିତିରେ ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ ପଞ୍ଚାୟତର ଖରାମାଲ-ଭେରୁଆମୁଣ୍ଡା କଚ୍ଚା ରାସ୍ତାର ଦୁରାବସ୍ଥା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।ଶନିବାର ସକାଳୁ ମାଣ୍ଡୋସିଲ ଅଞ୍ଚଳରେ ଝଡ଼ି ବର୍ଷା ଲାଗି ରହିଥିଲା। ଫଳରେ ଖରାମାଲ-ଭେରୁଆମୁଣ୍ଡା ମଧ୍ୟରେ ଥିବା କଚ୍ଚା ରାସ୍ତାରେ ପାଣି ମାଡ଼ିଯିବା ସହ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଦୁଇ ଗାଁ ମଧ୍ୟରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଚଳିତ ମାସରେ ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତାରେ ଦୁଇଥର ଘାଇ ସୃଷ୍ଟି ହୋଇଥିଲା ତାହା ମରାମତି ହୋଇଥିବା ସତ୍ତ୍ବେ ପ୍ରବଳ ପାଣି ପ୍ରବାହିତ ସ୍ରୋତରେ ପୁଣି ଘାଇ ସୃଷ୍ଟି ହୋଇଥିବା ଗ୍ରାମବାସୀ କହିଛନ୍ତି। ଏହି ରାସ୍ତା ଦେଇ ଭେରୁଆମୁଣ୍ଡା ଓ ଜାମସେଠ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଇଥାନ୍ତି। ଶନିବାର ରାସ୍ତାରେ ପାଣି ମାଡ଼ିଯିବା ଓ ଘାଇ ସୃଷ୍ଟି ହେବା ପରେ ଛାତ୍ରଛାତ୍ରୀଙ୍କ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଥିଲା। ଅଭିଭାବକମାନେ ନିଜ ପିଲାମାନଙ୍କୁ ରାସ୍ତା ପାର କରାଇ ବିଦ୍ୟାଳୟକୁ ପଠାଇଥିବା ଦେଖିବାକୁ ମିଳିଥିଲା। ପିଲାମାନଙ୍କ ସୁରକ୍ଷିତ ଯାତାୟାତକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।ଖରାମାଲ ଏକ ମଫସଲ ଗାଁ ହୋଇଥିବା ବେଳେ “ଦେଶୀ ବିହନ ପରବ” ପାଇଁ ଏହି ଗାଁ ପରିଚିତ। ପରବ ସମୟରେ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ବହୁ ଅତିଥି ଗାଁକୁ ଆସିଥାନ୍ତି। ତଥାପି ଗାଁର ମୌଳିକ ଯାତାୟାତ ସମସ୍ୟାର ସମାଧାନ ହୋଇନଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବର୍ଷା ଋତୁରେ ଏହି କଚ୍ଚା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼େ। ରାସ୍ତାରେ କାଦୁଅ ଓ ପାଣି ଭରିଯିବା ସହ ଅନେକ ସ୍ଥାନରେ ରାସ୍ତା ଧୋଇଯାଏ। ଏପରି ସ୍ଥିତିରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଗାଡ଼ି ମଧ୍ୟ ଗାଁକୁ ପହଞ୍ଚିବା କଷ୍ଟକର ହୋଇପଡ଼େ। ବିଶେଷକରି, ଛାତ୍ରଛାତ୍ରୀ ଗର୍ଭବତୀ ମହିଳା, ବୃଦ୍ଧ ଓ ଅସୁସ୍ଥ ଲୋକମାନେ ଏହି ରାସ୍ତାରେ ଯାତାୟାତ କରିବା ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତା ନିର୍ମାଣ ପାଇଁ ବହୁବାର ପ୍ରଶାସନ ନିକଟରେ ଦାବି କରାଯାଇଛି। ହେଲେ ସ୍ଥାୟୀ ସମାଧାନ ନକରି କେବଳ ମାଟି ମୋରମ ପକାଇ ରାସ୍ତା ମରାମତି କରାଯାଉଥିବାରୁ ବର୍ଷା ହେଲେ ପୁଣି ସମାନ ସମସ୍ୟା ଦେଖାଦେଉଛି। ତେଣୁ ବର୍ଷା ଋତୁ ଶେଷ ହେବା ପରେ ଖରାମାଲଠାରୁ ଭେରୁଆମୁଣ୍ଡା ପର୍ଯ୍ୟନ୍ତ ସ୍ଥାୟୀ ସିମେଣ୍ଟ କଂକ୍ରିଟ୍‌ ପକ୍କା ରାସ୍ତା ନିର୍ମାଣ କରିବା ସହ ତୁରନ୍ତ ଘାଇ ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଗ୍ରାମବାସୀଙ୍କ ଜରୁରୀ ଯାତାୟାତକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ସ୍ଥାନୀୟ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ ପଚାରିବାରୁ ମୁଁ ଏହି ରାସ୍ତା ଉପରେ ନୂତନ ପକ୍କା ତଥା ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରଶାସନକୁ ଅବଗତ କରିଛି ବୋଲି କହିଥିଲେ।

Leave A Reply

Your email address will not be published.