ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ହେଉଥିବା ବିଳମ୍ବକୁ ନେଇ ବିଜେପି ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି। ମିଡ୍ଟାଉନ୍ ମଣ୍ଡଳ ସଭାପତି ଦିଲୀପ କୁମାର ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ପଲ୍ଲବୀ ନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହାସହ ଜନସ୍ୱାର୍ଥ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ, ଡ୍ରେନ୍ ନିର୍ମାଣ, ବିଦ୍ୟୁତ୍ ଯୋଗାଣ, ଫୁଟପାଥ୍, ପାନୀୟଜଳ ପାଇପ୍ଲାଇନ୍, ସ୍ୱେରେଜ୍ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି କାର୍ଯ୍ୟ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହେଉଛି।
ବିଜେପି ପ୍ରତିନିଧିମଣ୍ଡଳ କହିଛି ଯେ, ଅସମ୍ପୂର୍ଣ୍ଣ ରାସ୍ତା, ଖୋଲା ଡ୍ରେନ୍, ଧୂଳି, ଆବର୍ଜନା, ଜଳବନ୍ଦୀ, ଟ୍ରାଫିକ୍ ବ୍ୟବସ୍ଥାରେ ବାଧା ଓ ଦୁର୍ଘଟଣା ଯୋଗୁଁ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ବ୍ୟବସାୟୀ, କର୍ମଚାରୀ ଓ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମଣ୍ଡଳ ସଭାପତି ଦିଲୀପ କୁମାର ସିଂହ ମହାନଗର ନିଗମ ଅଧୀନରେ ଚାଲିଥିବା ସମସ୍ତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ଦାବି କରିଥିଲେ। ସମ୍ପୃକ୍ତ ଠିକାଦାର ଓ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକୁ ଶୀଘ୍ର କାମ ଶେଷ କରିବା ପାଇଁ ନିର୍ଦ୍ଦେଶ, ନିୟମିତ ତଦାରଖ ଏବଂ ଅନାବଶ୍ୟକ ବିଳମ୍ବ ପାଇଁ ଦାୟୀ ସଂସ୍ଥା ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।
ଏଥିସହ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସୁରକ୍ଷା ଓ ସୁଗମ ଯାତାୟାତ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଥିଲା।
ଉପାୟୁକ୍ତ ପଲ୍ଲବୀ ନାୟକ ପ୍ରତିନିଧିମଣ୍ଡଳର ସମସ୍ୟାଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ମାମଲାଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ଆବଶ୍ୟକ ପଦକ୍ଷେପ ନେବା ନେଇ ଆଶ୍ୱାସନ ଦେଇଥିଲେ।
ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମସ୍ତ ବିକାଶମୂଳକ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବିଜେପି ମିଡ୍ଟାଉନ୍ ମଣ୍ଡଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Sign in
Sign in
Recover your password.
A password will be e-mailed to you.