ବିକଳ୍ପ ବ୍ୟବସ୍ଥା ପରେ ଯାତାୟାତ ହେଲା ସ୍ୱାଭାବିକ
ଓଡ଼ଗାଁ, ୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ–ବାହାଡ଼ାଝୋଲା ରାଜ୍ୟ ରାଜପଥର ମଶାବାରୀ ନିକଟ କୁସୁମୀ ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲରେ ବଢ଼ି ପାଣି ଯାଇ ଘାଇ ସୃଷ୍ଟି ହେବାରୁ ଅନେକ ସମୟ ପାଇଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ନଦୀର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା। ପୁରୁଣା ପୋଲରେ ଥିବା ଅବରୋଧକୁ ତୁରନ୍ତ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଅସ୍ଥାୟୀ ପୋଲର ମରାମତି ପାଇଁ ଆବଶ୍ୟକ ନିର୍ମାଣ ସାମଗ୍ରୀ ମହଜୁଦ ରହିଥିବା ବେଳେ ନଦୀର ଜଳସ୍ତର କମିବା ମାତ୍ରେ ଅସ୍ଥାୟୀ ରାସ୍ତାର ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ବେହେରା କହିଛନ୍ତି। ଗମନାଗମନ କୁ ଗୁରୁତ୍ୱ ଦେଇ ଅସ୍ଥାୟୀ ପୋଲ କ୍ଷତିଗ୍ରସ୍ତ ହେଲେ ଆବଶ୍ୟକତା ଅନୁଯାୟୀ ତୁରନ୍ତ ମରାମତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘବର୍ଷର ପୁରୁଣା ପୋଲଟି ଧୀରେ ଧୀରେ ନିଜର କ୍ଷମତା ହରାଉଥିବାରୁ ଏହାର ସ୍ଥାନରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ପୋଲ ନିର୍ମାଣ ସମୟରେ ଯାତାୟାତ ଜାରି ରଖିବା ପାଇଁ କୁସୁମୀ ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି।