ଭୁବନେଶ୍ୱର, ୭ ।୮: କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, କିଟ୍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଓ କିସ୍ ମିଳିତ ସହଯୋଗରେ କିଟ୍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଆଜି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସମବାୟ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ରାଜ୍ୟମନ୍ତ୍ରୀ (ସ୍ୱା) ପ୍ରଦୀପ ବଳ ସାମନ୍ତ କହିଲେ, ବୁଣାକାରମାନେ ହସ୍ତତନ୍ତ କ୍ଷେତ୍ରର ଆତ୍ମା ଏବଂ ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସଦା ପ୍ରତିବଦ୍ଧ। ବୁଣାକାରମାନେ ହେଉଛନ୍ତି ଆମ ସଂସ୍କୃତିର ବାର୍ତ୍ତାବହ ଓ ଉତ୍କର୍ଷ କଳାର ଯଥାର୍ଥ ପ୍ରତିନିଧି। ସେମାନଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଦିବସ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍ ଫର ଲୋକାଲ୍’ ଅଭିଯାନର ଉଲ୍ଲେଖ କରି ସେ ସପ୍ତାହକୁ ଅତି କମରେ ଥରେ ହସ୍ତତନ୍ତ ବସ୍ତ୍ର ପରିଧାନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଓଡ଼ିଶାର ହସ୍ତତନ୍ତ ପ୍ରସ୍ତୁତି ସାମଗ୍ରୀ ଦେଶ ବିଦେଶରେ ପ୍ରଚାର ପ୍ରସାର କରାଯାଉଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ଭାରତର ହସ୍ତତନ୍ତ ପରମ୍ପରା ଅତ୍ୟନ୍ତ ସମୃଦ୍ଧ ଏବଂ ଦେଶର ହସ୍ତତନ୍ତ ଐତିହ୍ୟରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଦେଶର କୋଟି କୋଟି ହସ୍ତତନ୍ତ ବୁଣାକାରଙ୍କୁ ସମ୍ମାନ ଜଣାଇବା ଓ ସେମାନଙ୍କ ଅବଦାନକୁ ଯଥୋଚିତ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହାରେ ଜାତୀୟ ହସ୍ତତନ୍ତ ଦିବସର ପ୍ରଚଳନ କରିଥିଲେ। ତାଙ୍କର ନିରନ୍ତର ପ୍ରୟାସ ଫଳରେ ଆଜି ଭାରତୀୟ ହସ୍ତତନ୍ତ ଉତ୍ପାଦ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିଛି ବୋଲି ସେ କହିଥିଲେ। ଓଡ଼ିଶାର ହସ୍ତତନ୍ତର ପ୍ରଚାର ପ୍ରସାର କରିବା ପାଇଁ କିଟ୍ ଓ କିସ୍ ପରିଦର୍ଶନରେ ଆସୁଥିବା ଅତିଥିଙ୍କୁ ପ୍ରତିବର୍ଷ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ଵ ହସ୍ତତନ୍ତ ଶାଢି ପ୍ରଦାନ କରାଯାଉଛି। ଏହାଦ୍ୱାରା ବୁଣାକାରମାନଙ୍କୁ ସହାୟତା ଏବଂ ସହ କାରିଗରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ସହ ସେମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଇପାରୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

ଏହି ଅବସରରେ ହସ୍ତତନ୍ତ ବସ୍ତ୍ରର ବ୍ୟବହାରକୁ ପ୍ରୋତ୍ସାହିତ ଓ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଓ କିଟ୍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ମିଳିତ ଉଦ୍ୟମରେ ‘କାଞ୍ଚି–୨୦୨୬’ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଲୋକପ୍ରିୟ ଅଭିନେତ୍ରୀ ଦେବଯାନୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଅଧିକରୁ ଅଧିକ ହସ୍ତତନ୍ତ ବସ୍ତ୍ର ବ୍ୟବହାର କରିବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।