ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ ଶୂନ!
ପାଟଣାଗଡ଼/ ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଭଏଷା ଗ୍ରାମରେ ଜଣେ ବ୍ୟକ୍ତି ବୈଧ ଡାକ୍ତରୀ ଯୋଗ୍ୟତା ଏବଂ ସରକାରୀ ପଞ୍ଜିକରଣ ବିନା ଚିକିତ୍ସା କରୁଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସଙ୍ଗୀନ ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ।।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ବୈଧ ଯୋଗ୍ୟତା ଓ ପଞ୍ଜିକରଣ ବିନା ବିଭିନ୍ନ ପ୍ରକାର ରୋଗୀଙ୍କୁ ଚିକିତ୍ସା କରାଯାଉଛି। କାଶ, ଜ୍ୱର, ସର୍ଦି ଭଳି ସାଧାରଣ ରୋଗରେ ମନଇଚ୍ଛା ଇଞ୍ଜେକ୍ସନ ପ୍ରୟୋଗ କରାଯାଉଥିବା ଏବଂ ଆଣ୍ଠୁବ୍ୟଥା ଓ ଗଣ୍ଠିବାତ ରୋଗୀଙ୍କୁ ବାରମ୍ବାର ବେଦନାନାଶକ ଇଞ୍ଜେକ୍ସନ ଦେଇ ଅଧିକ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି । ଏହା ଫଳରେ ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। କିଛି ମାସ ତଳେ ସ୍ଥାନୀୟ ରେଙ୍ଗାଲି ଗ୍ରାମରେ ଏପରି ଜଣେ କ୍ୱାକ ଡାକ୍ତରଙ୍କ ଭୁଲ ଚିକିତ୍ସାରେ ଜଣକର ମୃତ୍ୟୁ ହୋଇଥିଲା ଏବଂ ବଲାଙ୍ଗିର ଜିଲ୍ଲାରେ ଏପରି କ୍ୱାକ ଡାକ୍ତର ମାନଙ୍କ ଭୁଲ ଚିକିତ୍ସାରେ ମୃତ୍ୟୁ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବେଆଇନ ଚିକିତ୍ସା ଉପରେ କୌଣସି ପ୍ରଭାବଶାଳୀ ଅଙ୍କୁଶ ଲାଗୁ ହେଉ ନାହିଁ ତେଣୁ କ୍ୱାକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ସଚେତନତାର ଅଭାବ ଥିବା ଲୋକମାନେ ଏଭଳି କଥିତ ଚିକିତ୍ସାର ଶିକାର ହେଉଥିବା ଅଭିଯୋଗ ହେଉଛି ।ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ କେବେ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି।
ସ୍ଥାନୀୟ ଲୋକେ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗଙ୍କୁ ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରିବା, ସମ୍ପୃକ୍ତ ବ୍ୟକ୍ତିଙ୍କ ବୈଧ ଡାକ୍ତରୀ ଯୋଗ୍ୟତା ଓ ପଞ୍ଜିକରଣ ଯାଞ୍ଚ କରି ପ୍ରଚଳିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।