ନବରଙ୍ଗପୁରକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଗଠନ ପାଇଁ ପଞ୍ଚାୟତ ସ୍ତରରେ ସକ୍ରିୟ ହୁଅନ୍ତୁ

9

GPDPରେ ଶିଶୁ ସୁରକ୍ଷା ଯୋଜନା ସାମିଲ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନବରଙ୍ଗପୁର, ୬ ଅଗଷ୍ଟ: ବାଲ୍ୟ ବିବାହ ରୋକିବା ସହିତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଅନୁକୂଳ ପଞ୍ଚାୟତରେ ପରିଣତ କରିବା ଦିଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ ବୋଲି ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ବାଲ୍ୟ ବିବାହ କେବଳ ଏକ ସାମାଜିକ କୁପ୍ରଥା ନୁହେଁ, ଏହା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା ଓ ମାନବ ସମ୍ପଦ ବିକାଶ ପାଇଁ ଗୁରୁତର ପ୍ରତିବନ୍ଧକ। ଅଳ୍ପ ବୟସରେ ବିବାହ ଓ ଗର୍ଭଧାରଣ ଯୋଗୁଁ କୁପୋଷଣ, ରକ୍ତହୀନତା, ଶିଶୁଙ୍କ କୃଶତା (Wasting), ବିକାଶ ବାଧା (Stunting), ମାତୃ ମୃତ୍ୟୁହାର (MMR) ଓ ଶିଶୁ ମୃତ୍ୟୁହାର (CMR) ବୃଦ୍ଧି ପାଉଥିବାରୁ ଏହାକୁ ସାମୂହିକ ପ୍ରୟାସରେ ରୋକିବା ସମୟର ଆବଶ୍ୟକତା ବୋଲି ସେ ମତ ଦେଇଥିଲେ।

ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର, ଯୋବାଗୁଡାଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ନବରଙ୍ଗପୁର ପକ୍ଷରୁ ବାଲ୍ୟ ବିବାହ ନିରୋଧ ଆଇନ-୨୦୦୬ ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP)ରେ ଶିଶୁ ସୁରକ୍ଷା ଯୋଜନାର ସମନ୍ୱୟ ସମ୍ପର୍କରେ ଜିଲ୍ଲାର ୮୬ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO-cum-CMPO)ଙ୍କ ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଏହା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ସୁକାନ୍ତ ଶତପଥୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ପଦ୍ମନାଭ ତ୍ରିପାଠୀ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଛୋଟରାୟ ଟୁଡୁ, ଜିଲ୍ଲା ଦକ୍ଷତା ଓ ନିଯୁକ୍ତି ଅଧିକାରୀ ଶ୍ରୀ ଆନନ୍ଦ ପାଲେଇ ଏବଂ ଶିଶୁ ମଙ୍ଗଳ କମିଟି ସଦସ୍ୟ ଶ୍ରୀ ସିଦ୍ଧାର୍ଥ ବେହେରା ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରି ପ୍ରଶିକ୍ଷଣର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଥିଲେ, ବାଲ୍ୟ ବିବାହ ନିରୋଧ, ଶିଶୁ ସୁରକ୍ଷା ଏବଂ ପଞ୍ଚାୟତ ସ୍ତରରେ ଆଇନର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ସମସ୍ତ ବିଭାଗର ସମନ୍ୱୟ ଅତ୍ୟାବଶ୍ୟକ।

ଜିଲ୍ଲାପାଳ ସମସ୍ତ PEO-cum-CMPOଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ମାଧ୍ୟମରେ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତ କରି ତାହାକୁ GPDPରେ ସାମିଲ କରାଯିବ। ଅନୁମୋଦିତ ଯୋଜନା ଏବଂ ଗ୍ରାମସଭାର କାର୍ଯ୍ୟବିବରଣୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ପ୍ରେରଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପଞ୍ଚାୟତର ୫ ପ୍ରତିଶତ ଅବିଭକ୍ତ ପାଣ୍ଠିକୁ ଶିଶୁ ସୁରକ୍ଷା, ପୁଷ୍ଟି, ବାଲ୍ ସଭା, ସଚେତନତା କାର୍ଯ୍ୟକ୍ରମ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟିରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ କହିଥିଲେ ଯେ, ବାଲ୍ୟ ବିବାହ ଦୀର୍ଘ ବର୍ଷର ସାମାଜିକ କୁପ୍ରଥା ହୋଇଥିଲେ ମଧ୍ୟ ପ୍ରଶାସନ, ପଞ୍ଚାୟତୀରାଜ ଅନୁଷ୍ଠାନ ଓ ସମାଜର ମିଳିତ ପ୍ରୟାସ ଦ୍ୱାରା ନବରଙ୍ଗପୁରକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲାରେ ପରିଣତ କରାଯାଇପାରିବ।

ବୈଷୟିକ ଅଧିବେଶନରେ ଆଙ୍ଗନ ଟ୍ରଷ୍ଟର ପ୍ରକଳ୍ପ ସହଯୋଗୀ ଶ୍ରୀମତୀ ପ୍ରବାସିନୀ ପଟ୍ଟନାୟକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ଦାୟିତ୍ୱ, ବିପଦାପନ୍ନ ଶିଶୁଙ୍କ ଚିହ୍ନଟ, ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତି, GPDPରେ ଶିଶୁ ସମ୍ବନ୍ଧୀୟ ପ୍ରାଥମିକତାର ସମାବେଶ, ପ୍ରତି ତ୍ରୈମାସିକରେ ବାଲ୍ ସଭା ଆୟୋଜନ, ଅନାଥ ଓ ଅସୁରକ୍ଷିତ ଶିଶୁମାନଙ୍କ ମ୍ୟାପିଂ ଏବଂ ସେମାନଙ୍କୁ ମିଶନ ବତ୍ସଲ୍ୟ, ଯଶୋଦା, ଗ୍ରୀନ୍ ପାସେଜ୍ ସମେତ ବିଭିନ୍ନ ସରକାରୀ ଯୋଜନା ସହ ସଂଯୋଗ କରିବା ବିଷୟରେ ବିସ୍ତୃତ ଉପସ୍ଥାପନା କରିଥିଲେ।

ପରବର୍ତ୍ତୀ ମୁକ୍ତ ଆଲୋଚନା ପର୍ବରେ ବିଭିନ୍ନ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କ୍ଷେତ୍ରସ୍ତରର ଅଭିଜ୍ଞତା, ବାଲ୍ୟ ବିବାହ ପ୍ରତିରୋଧରେ ଚ୍ୟାଲେଞ୍ଜ ଏବଂ ସଫଳ ହସ୍ତକ୍ଷେପ ସମ୍ପର୍କରେ ମତ ବିନିମୟ କରିଥିଲେ।

ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଲିଗାଲ ପ୍ରୋବେସନ ଅଫିସର ଶ୍ରୀ କିଶୋର ମର୍ଥା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.