ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ସହରର ବହୁ ପୁରାତନ ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। ସର୍ବସମ୍ମତି କ୍ରମେ ସରସ୍ୱତୀ ସାହୁଙ୍କୁ ଅନୁଷ୍ଠାନର ସଭାନେତ୍ରୀ ଭାବେ ମନୋନୀତ କରାଯାଇଛି। ଏହାପୂର୍ବରୁ ସେ ଅନୁଷ୍ଠାନର ସମ୍ପାଦିକା ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ।ଉପସଭାନେତ୍ରୀ ଅମୂଲ୍ୟ କୁମାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା। ଏଥିରେ ଅମୂଲ୍ୟ କୁମାରୀ ମିଶ୍ରଙ୍କୁ ଉପସଭାନେତ୍ରୀ, ସନ୍ତୋଷୀ ସେନାପତିଙ୍କୁ ସମ୍ପାଦିକା, ସୁଜାତା ଖାଡ଼ଙ୍ଗାଙ୍କୁ ସହ-ସମ୍ପାଦିକା ଏବଂ ଲକ୍ଷ୍ମୀ ଦେଓଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।
ସେହିପରି ଅନୁଷ୍ଠାନର ପୂର୍ବତନ ସଭାନେତ୍ରୀ ସୁଜାତା ପାଳ, ପୂର୍ବତନ କୋଷାଧ୍ୟକ୍ଷ ଶ୍ରମିତା ପାଢ଼ୀ ଏବଂ ପଦ୍ମାଳୟା ମିଶ୍ରଙ୍କୁ ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।
ବୈଠକରେ ଆଗାମୀ ଦିନରେ ‘ସଂସ୍କୃତି’ ଅନୁଷ୍ଠାନକୁ ଆହୁରି ସଶକ୍ତ ଓ ସୁସଂଗଠିତ କରିବା ସହ ସମାଜମଙ୍ଗଳମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା। ଅନୁଷ୍ଠାନକୁ ଏକ ଶୃଙ୍ଖଳିତ ଓ ଆଦର୍ଶ ସାମାଜିକ ସଂଗଠନ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତ ସଦସ୍ୟା ସଂକଳ୍ପବଦ୍ଧ ଥିବା ପ୍ରକାଶ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦଶନ୍ଧି ଧରି ଉପାନ୍ତ ଅଞ୍ଚଳରେ ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଓ ପ୍ରସାର କ୍ଷେତ୍ରରେ ‘ସଂସ୍କୃତି’ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି।