ଦୀପ ତଳେ ଅନ୍ଧାର: ଜିଲ୍ଲା ସଦର ମହକୁମା ନିକଟରେ ଶୋଚନୀୟ ରାସ୍ତା, ୧ କିଲୋମିଟର କାଉଡ଼ିରେ ବୁହା ହେଲେ ରୋଗୀ

28

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଦୀପ ତଳେ ଅନ୍ଧାର ଏହି ଉକ୍ତିଟି ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟସ୍ଥ କେନାଲଗୁଡ଼ା ଗ୍ରାମ ପାଇଁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି। ସଦର ମହକୁମାରୁ ମାତ୍ର ୪ କିଲୋମିଟର ଏବଂ ସତିଗୁଡ଼ା ଜଳଭଣ୍ଡାରରୁ ମାତ୍ର ୫୦୦ ମିଟର ଦୂରରେ ଥିବା ସିନ୍ଧରିମାଳ ପଞ୍ଚାୟତର କେନାଲଗୁଡ଼ା ଗାଁକୁ ଆଜି ପର୍ଯ୍ୟନ୍ତ ଗୋଟିଏ ପକ୍କା ରାସ୍ତା ନାହିଁ। ଫଳରେ ବିଶେଷ କରି ବର୍ଷା ଦିନେ ଗ୍ରାମବାସୀଙ୍କ ଜୀବନଯାତ୍ରା ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ୁଛି।
​ରବିବାର ଏହାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଗ୍ରାମର ଆଡମା କାବାସି (୪୮) ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିଥିଲେ ହେଁ ରାସ୍ତା ଅତ୍ୟନ୍ତ ଖରାପ ଓ କାଦୁଅ ହୋଇଥିବାରୁ ଗାଁଠାରୁ ୧ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା। ଅନ୍ୟ କୌଣସି ଉପାୟ ନପାଇ ପରିବାର ଲୋକେ ଓ ଗ୍ରାମବାସୀ ବାଧ୍ୟ ହୋଇ ରୋଗୀଙ୍କୁ ଏକ କାଉଡ଼ିରେ ବୋହି ୧ କିଲୋମିଟର କାଦୁଅ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ରୋଗୀଙ୍କୁ ମେଡିକାଲ ପଠାଯାଇଥିଲା।
​ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନିକ ସ୍ତରରେ ଦାବି କରାଯାଇଥିଲେ ସୁଦ୍ଧା କେହି ଏହାପ୍ରତି ଦୃଷ୍ଟି ଦେଉନାହାନ୍ତି। ଜିଲ୍ଲା ସଦର ମହକୁମାର ଏତେ ନିକଟରେ ଥାଇ ଯଦି ଏପରି ବିକଳ ସ୍ଥିତି, ତେବେ ଜିଲ୍ଲାର ସୁଦୂର ଦୁର୍ଗମ ଅଞ୍ଚଳର ଅବସ୍ଥା କ’ଣ ହୋଇଥିବ, ଯାହା ସହଜରେ ଅନୁମେୟ।
​ତୁରନ୍ତ କେନାଲଗୁଡ଼ା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ନିବେଦନ କରିଛନ୍ତି। ଯଦି ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ନହୁଏ, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.