ଘଣ୍ଟା ଘଣ୍ଟା ବିଦ୍ୟୁତ୍ ବିଚ୍ଛିନ୍ନ; ଉପଭୋକ୍ତା ଅସନ୍ତୋଷ ବଢ଼ୁଛି
ଓଡ଼ଗାଁ, ୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତଥା ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଉପଭୋକ୍ତା ଅତିଷ୍ଠ ହୋଇପଡ଼ିଛନ୍ତି। ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି କାରଣରୁ ଦୀର୍ଘ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରହୁଥିବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେଉଛି। କେତେବେଳେ ବର୍ଷା ପୂର୍ବରୁ ସୁରକ୍ଷାମୂଳକ ପଦକ୍ଷେପ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ ବନ୍ଦ ରହୁଥିବା ବେଳେ ଆଉ କେତେ ବେଳେ ନୟାଗଡ଼ ଗ୍ରିଡ୍ କାର୍ଯ୍ୟ କିମ୍ବା ଓଡ଼ଗାଁ ସବ୍ଷ୍ଟେସନ୍ର ମରାମତି ଆଳରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଉଛି। କାଳବୈଶାଖୀ କିମ୍ବା ସାମାନ୍ୟ ବର୍ଷାପବନରେ ମଧ୍ୟ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବା ଏବେ ନିତିଦିନିଆ ଘଟଣା ପାଲଟିଛି । ଶନିବାର ଅପରାହ୍ନରେ ସାମାନ୍ୟ ବର୍ଷାପବନ ପରେ କଟରାଝରି ରାସ୍ତାରେ ଏକ ଗଛ ଡାଳ ଭାଙ୍ଗି ୧୧ କେଭି ତାର ଉପରେ ପଡ଼ିଥିଲା। ତେବେ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହୋଇନଥିଲା। ହେଲେ ମହୁମାଛିଙ୍କ ପାଇଁ କାର୍ଯ୍ୟ ବିଳମ୍ବିତ ହୋଇଥିବା ସୂଚନା ଦିଆଯାଇଥିଲା । ଦୀର୍ଘ ସମୟ ବିଦ୍ୟୁତ୍ ନଥିବାରୁ ଘରୋଇ ଇନଭର୍ଟରର ଚାର୍ଜ ମଧ୍ୟ ଶେଷ ହୋଇଯାଉଛି। ଫଳରେ ବୟୋଜ୍ୟେଷ୍ଠ, ଛାତ୍ରଛାତ୍ରୀ ଓ ସାଧାରଣ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡ଼ଗାଁ ପାଇଁ ନିର୍ମାଣାଧୀନ ନୂତନ ୧୧ କେଭି ସଂଯୋଗ କାର୍ଯ୍ୟ କେବେ ଶେଷ ହେବ ଏବଂ ବିଦ୍ୟୁତ୍ ବିଭ୍ରାଟରୁ କେବେ ମୁକ୍ତି ମିଳିବ, ତାହାକୁ ଅପେକ୍ଷା କରିଛନ୍ତି ଉପଭୋକ୍ତା। ଏନେଇ ଦିନକୁ ଦିନ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।