ଦୂତୀକେଶ୍ବର ମହାଦେବଙ୍କ ପରିଚାଳନା କମିଟି ବୈଠକ,

37


ତହସିଲଦାର ଓ ଆଇଆଇସି ହେଲେ ଉପଦେଷ୍ଟା, କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୁଲିସ ମୁତୟନ


ଓଡ଼ଗାଁ, ୧ା୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାହାଡ଼ାଝୋଲା ରାଜ୍ୟ ସଡ଼କ ପାର୍ଶ୍ୱସ୍ଥ ଜାମୁପାଟଣା ନିକଟ ଶୂଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ଦୂତୀକେଶ୍ବର ମହାଦେବଙ୍କ ପୀଠର ପରିଚାଳନା କମିଟି ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। କମିଟି ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରଦ୍ଧାଳୁଙ୍କୁ ଉତ୍ତମ ସେବା, ମନ୍ଦିର ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ପ୍ରତି ପୂଜକ-ସେବାୟତ ଓ ପରିଚାଳନା କମିଟି ସଦସ୍ୟମାନେ ଶ୍ରଦ୍ଧା, ସୌଜନ୍ୟ ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ଦର୍ଶନାର୍ଥୀଙ୍କ ଧାର୍ମିକ ଭାବାବେଗ ଯେପରି କୌଣସି ପରିସ୍ଥିତିରେ ଆଘାତପ୍ରାପ୍ତ ନହୁଏ, ସେଥିପ୍ରତି ସମସ୍ତେ ସଚେତନ ଓ ସତର୍କ ରହିବାକୁ ନିଷ୍ପତ୍ତି ହୋଇଛି। ମାନସିକଧାରୀଙ୍କଠାରୁ କମିଟି ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ଗ୍ରହଣ କରାଯାଇ ରସିଦ ପ୍ରଦାନ କରାଯିବ। ପ୍ରତି ସପ୍ତାହର ବଳକା ଅର୍ଥ ବ୍ୟାଙ୍କରେ ଜମା କରାଯିବା ସହ ପ୍ରତି ମାସରେ କମିଟି ପକ୍ଷରୁ ଆୟବ୍ୟୟର ହିସାବ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରାବଣ ମାସରେ ଦୂତୀକେଶ୍ବର ପୀଠକୁ ଆସୁଥିବା କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୁଲିସ ମୁତୟନ କରାଯିବ। ଏଥିସହ ମେଳା, ମହୋତ୍ସବ, ବିବାହ ଓ ଅନ୍ୟାନ୍ୟ ମାଙ୍ଗଳିକ ସାମାଜିକ କାର୍ଯ୍ୟକ୍ରମ ସମୟରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପୁଲିସ ସହଯୋଗ ନିଆଯିବ। ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଓ ଆଇଆଇସି ସତ୍ୟନାରାୟଣ ବାରିକଙ୍କୁ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ଭାବେ ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।
ବୈଠକରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଆଇଆଇସି ସତ୍ୟନାରାୟଣ ବାରିକ ଓ ଏସ୍‌ଆଇ ଚକ୍ରଧର ସିଂ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପସଭାପତି ପ୍ରଫୁଲ୍ଲ ମାଝୀ, କୋଷାଧ୍ୟକ୍ଷ ପ୍ରତାପ କୁମାର ଜେନା, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୁଜବଳଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ଓ ପୂଜକ-ସେବାୟତ ଉପସ୍ଥିତ ଥିଲେ।

Leave A Reply

Your email address will not be published.