ବଡ଼ବିଲରେ ନିଳାଦ୍ରୀ  ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ

0

ବଡ଼ବିଲ /ଚିତ୍ତରଞ୍ଜନ କର :ପ୍ରତିଟି ଓଡ଼ିଆ ପଖାଳ ଖାଇବାକୁ ପସନ୍ଦ କରିଥାଏ। ଆମ ରାଜ୍ୟରେ ପଖାଳ ଖାଇବା ପରମ୍ପରା ବହୁ ପ୍ରାଚୀନ କାଳରୁ ହିଁ ରହିଆସିଅଛି। ଏହା ଶରୀର ପ୍ରତି କେତେ ହିତକାରକ ତାହା ପଖାଳ ଖାଉଥିବା ଓଡ଼ିଆ ହିଁ ଅନୁଭବ କରିପାରେ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା କାଳିଆ ଠାକୁର ମଧ୍ୟ ପଖାଳ ପ୍ରିୟ । ଭିନ୍ନ ଭିନ୍ନ ପ୍ରକାରର ପଖାଳ ଶ୍ରୀଜଗନ୍ନାଥ ମନ୍ଦିରରେ ଲାଗି ହୁଏ । ଏଥିରୁ ଜଣାପଡ଼େ ପଖାଳର କେତେ ମହତ୍ୱ ରହିଛି । ତେବେ ପଖାଳକୁ ବିଶ୍ୱ ଦରବାରରେ ପହଂଚାଇବାକୁ ଉଦ୍ୟମ ସ୍ୱରୂପ ବିଗତ କିଛି ବର୍ଷ ଧରି ମାର୍ଚ୍ଚ ୨୦ତାରିଖ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସଙ୍ଗଠନ ଏବଂ ଅନୁଷ୍ଠାନ ପକ୍ଷରୁ ଏହି ଦିବସକୁ ଉତ୍ସାହର ସହକାରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି  ମଧ୍ୟାହ୍ନରେ ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀ ତରଫରୁ ପଖାଳ ଦିବସକୁ ବେଶ ଉତ୍ସାହ ସହକାରେ ପାଳନ କରାଯିବାସହ  ‘ଆମେ ଓଡିଆ,ପଖାଳ ଆମର ପରିଚୟ’ ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ବିଭିନ୍ନ ବର୍ଗରୁ ଆସିଥିବା ବୁଦ୍ଧିଜୀବୀ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଯୋଗ ଦେଇ ପଖାଳ ଖାଇବାର ପରମ୍ପରାକୁ ଆଜିର ଯୁବ ଏବଂ ଆଗାମୀ ପିଢ଼ୀରେ ମଧ୍ୟ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ଆଲୋଚନା ପରେ ସଭିଏଁ ଏକାଠି ବସି ପଖାଳ ଭାତ ଓ ବହୁ ରୁଚିକର ଓଡ଼ିଆ ବ୍ୟଞ୍ଜନର ମଜା ଉଠାଇଥିଲେ।

Leave A Reply

Your email address will not be published.