ଶେରଗଡ଼ ବ୍ଲକ୍ର ବାକିଲିକଣା ଗ୍ରାମରେ ଶୋକାକୁଳ ପରିବେଶ ।
ଶେରଗଡ଼, -01/11/26-:(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଦେଙ୍ଗପଦର ପଞ୍ଚାୟତର ବାକିଲିକଣା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବନ୍ୟାରେ ଚାଷ ଜମିର ଫସଲ ନଷ୍ଟ ହୋଇଯିବା ଚିନ୍ତାରେ ଅର୍ଜୁନ ପଣ୍ଡା (୫୦) ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ନିକଟରେ ହୋଇଥିବା ବନ୍ୟା ଯୋଗୁଁ ଅଞ୍ଚଳର ବହୁ ଚାଷ ଜମି ଜଳମଗ୍ନ ହୋଇଥିବା ସହ ଫସଲ ନଷ୍ଟ ହୋଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଆର୍ଥିକ ଅନିଶ୍ଚିତତା ଓ ଚିନ୍ତା ବଢ଼ିଥିବା ବେଳେ ଅର୍ଜୁନ ପଣ୍ଡାଙ୍କ ବହୁତ ଜମି ରେ ବନ୍ୟା ଜଳ ପ୍ରବାହିତ ହୋଇ ଜମି ରେ କାଦୁଅ ମାଟି ଏବଂ ବାଲି ରେ ପରିପୂର୍ଣ୍ଣ ହୋଇଯାଇଥିଲା। ଫସଲ ନଷ୍ଟ ଚିନ୍ତା ରେ ଅର୍ଜୁନ ପଣ୍ଡା କୀଟନାଶକ ପିଇ ତାଙ୍କ ଘର ସମ୍ମୁଖରେ ଗୁରୁତର ଅବସ୍ଥା ରେ ପଡ଼ିଥିଲେ। ଘରଲୋକେ ପ୍ରଥମେ ହିଞ୍ଜିଳି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲ କୁ ସ୍ଥାନାନ୍ତର କରିଥିଲେ, ରାସ୍ତାରେ ତାଙ୍କମୃତ ହୋଇଥିଲା। ଚାଷକୁ ଜୀବିକାର ମୁଖ୍ୟ ଆଧାର କରିଥିବା ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଏକ ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିଛି। ଏଭଳି ଦୁଃଖଦ ଘଟଣା ପରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା, ଫସଲ କ୍ଷତିପୂରଣ ଓ ଆର୍ଥିକ ସହଯୋଗ ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।