ବନକାବିହାର ଗାଁରୁ ୨୦୩ ବସ୍ତା ୟୁରିଆ ଓ ଡିଏପି ସାର ଜବତ!
ବଲାଙ୍ଗିର /ପାଟଣାଗଡ଼: ଚାଷ ଋତୁରେ ସାରର ଚାହିଦା ବଢ଼ିଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବନକାବିହାର ଗାଁରେ କୃଷି ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୨୦୩ ବସ୍ତା ସନ୍ଦିଗ୍ଧ ବେଆଇନ ସାର ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ସମଗ୍ର ପାଟଣାଗଡ଼ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
କୃଷି ବିଭାଗର ବିଶେଷ ସୂତ୍ରରୁ ସୂଚନା ପାଇ ଗଠିତ ଏନଫୋର୍ସମେଣ୍ଟ ଟିମ୍ କୀର୍ତ୍ତିଚନ୍ଦ୍ର ମେହେରଙ୍କ ଗୋଦାମରେ ଅଚାନକ ଚଢ଼ାଉ କରିଥିଲା। ସେଠାରୁ ୟୁରିଆ, ଡିଏପି ସମେତ ୨୦୩ ବସ୍ତା ସାର ଜବତ କରାଯାଇଥିବା କୃଷି ବିଭାଗ ସୂଚନା ଦେଇଛି। ପ୍ରାଥମିକ ତଦନ୍ତରେ ଏତେ ପରିମାଣର ସାର ମହଜୁଦ ରଖିବା ପାଇଁ ଆବଶ୍ୟକ ଲାଇସେନ୍ସ, ବୈଧ କାଗଜପତ୍ର ଓ ଅନୁମତିପତ୍ର ଉପସ୍ଥାପନ କରାଯାଇପାରିନଥିବାରୁ ସାରଗୁଡ଼ିକୁ ଜବତ କରାଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ, ଚାଷ ସମୟରେ ସାରକୁ କଳାବଜାରୀ ଉଦ୍ଦେଶ୍ୟରେ ମହଜୁଦ ରଖାଯାଇଥିବା ସନ୍ଦେହରେ ତଦନ୍ତ ଚାଲିଛି। ଆଜି ସମୟ ଅଭାବ ଥିବାରୁ ଜବତ ସାରକୁ କେବଳ ଜବତ କରାଯାଇଛି। ଏପର୍ଯ୍ୟନ୍ତ ଏହାକୁ ସ୍ଥାନାନ୍ତର କରାଯାଇନାହିଁ। ତଦନ୍ତ ଶେଷ ହେବା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।
କୃଷି ବିଭାଗ ବର୍ତ୍ତମାନ ତଦନ୍ତ କରୁଛି ଯେ, ଏତେ ପରିମାଣର ସାର ବିନା ଆବଶ୍ୟକ ଦଲିଲପତ୍ରରେ କିପରି ଗୋଦାମକୁ ଆସିଲା ଏବଂ ଏହାର ଉତ୍ସ କ’ଣ। ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ବିଭାଗ ସୂଚନା ଦେଇଛି।