୨ ଅଗଷ୍ଟରେ ‘ନଶାମୁକ୍ତ ଯୁବା – ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ସମ୍ବୋଧନ

12

ଗୁଣପୁର ରୁ ସନ୍ତୋଷ କୁମାର: ରାୟଗଡ଼, ୩୧ ଜୁଲାଇ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ମାଇ ଭାରତ (MY Bharat) ପକ୍ଷରୁ ଦେଶବ୍ୟାପୀ ‘ନଶାମୁକ୍ତ ଯୁବା – ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତ–୨୦୪୭ର ଲକ୍ଷ୍ୟ ସାକାର ଦିଗରେ ଯୁବପିଢ଼ିଙ୍କୁ ସଚେତନ ଓ ସଂଗଠିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।

ଆସନ୍ତା ୨ ଅଗଷ୍ଟ ୨୦୨୬ ପୂର୍ବାହ୍ନ ୧୦ଟାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଯୁବବର୍ଗଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରିବେ। ସମଗ୍ର ଦେଶର ପ୍ରାୟ ୧୦ ହଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ ସହ ଏକ କୋଟିରୁ ଅଧିକ ଯୁବକ-ଯୁବତୀ ସିଧାସଳଖ ଓ ଭର୍ଚୁଆଲ୍ ଭାବେ ଯୋଡ଼ି ହେବେ।

ରାୟଗଡ଼ ଜିଲ୍ଲାରେ GIET ବିଶ୍ୱବିଦ୍ୟାଳୟ, ଗୁଣପୁର ଅଡିଟୋରିୟମରେ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି। ଏଥିରେ MY Bharat ସ୍ୱେଚ୍ଛାସେବକ, NSS, ଯୁବ କ୍ଲବ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ ଏବଂ ସାଧାରଣ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ରହିବ।

ଏହି ଅଭିଯାନ ଅବସରରେ ଦେଶବ୍ୟାପୀ ‘ନଶାମୁକ୍ତି ଶପଥ’ ଗ୍ରହଣ କରାଯିବା ସହ ଯୁବମାନଙ୍କୁ MY Bharat ପୋର୍ଟାଲରେ ଇ-ପ୍ଲେଜ୍ (e-Pledge) ନେବା ପାଇଁ ଉତ୍ସାହିତ କରାଯିବ। ଏହାସହ ଆସନ୍ତା ୧୦୦ ସପ୍ତାହ ଧରି ପ୍ରତ୍ୟେକ ରବିବାର ପଦଯାତ୍ରା, ସଚେତନତା ରାଲି, କ୍ରୀଡ଼ା ଓ ଫିଟନେସ୍ କାର୍ଯ୍ୟକ୍ରମ, ଧ୍ୟାନ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୁକ୍କଡ଼ ନାଟକ ଓ ବିଭିନ୍ନ ସମୁଦାୟଭିତ୍ତିକ ସଚେତନତା କାର୍ଯ୍ୟକଳାପ ଆୟୋଜିତ ହେବ।

ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ସାଧାରଣ ନାଗରିକଙ୍କୁ ଏହି ଜାତୀୟ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରାଯାଇଛି। ସେହିପରି, କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ ମଧ୍ୟ କାମନା କରାଯାଇଛି।

Leave A Reply

Your email address will not be published.