୩୬ ଜଣ ସଫଳ ମହିଳାଙ୍କୁ ସମ୍ମାନ; ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୯୧୩ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର, ଜୁଲାଇ ୩୧: କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (CII) ଇଣ୍ଡିଆନ ଓମେନ ନେଟୱର୍କ (IWN) ଓଡ଼ିଶା ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଚତୁର୍ଥ ସିଆଇଆଇ ଆଇଡବ୍ଲ୍ୟୁଏନ୍ ‘ଶକ୍ତି ସମ୍ମାନ ୨୦୨୬’ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମହିଳା ନେତ୍ରୀମାନଙ୍କ ସଫଳତାକୁ ସେଲିବ୍ରେଟ୍ କରାଯିବା ସହ ମହିଳା କେନ୍ଦ୍ରିକ ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାକୁ ଦୋହରାଯାଇଛି। ଏହି କାର୍ଯ୍ୟକ୍ରମରେ ୯୧୩ କୋଟି ଟଙ୍କାର ୧୩ ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ରାଜ୍ୟରେ ପ୍ରାୟ ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ଏହି ସମାବେଶକୁ ସମ୍ବୋଧିତ କରି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ (ଆଇଏଏସ) କହିଛନ୍ତିଯେ ମହିଳା ଉଦ୍ୟୋଗୀମାନେ ସଫଳତା ହାସଲ କରିବା ପାଇଁ ପାରମ୍ପରିକ ଓ ସାମାଜିକ ପ୍ରଥାକୁ ଭାଙ୍ଗି ଅନେକ ଆହ୍ୱାନର ସାମ୍ନା କରୁଛନ୍ତି। ସେ ସେମାନଙ୍କୁ ପ୍ରେରଣାର ଏକ ପ୍ରକୃତ ଉତ୍ସ ବୋଲି ଅଭିହିତ କରିବା ସହ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ୨୦୩୬ ଏବଂ ୨୦୪୭ ଭିଜନ ଡକ୍ୟୁମେଣ୍ଟରେ ମହିଳା କେନ୍ଦ୍ରିକ ବିକାଶକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ଗ୍ରହଣ କରାଯାଇ ରାଜ୍ୟକୁ ୧ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ଜନସଂଖ୍ୟାର ପ୍ରାୟ ଅଧା ଭାଗ ମହିଳା ହୋଇଥିବାରୁ ଉଦ୍ୟୋଗ, ନିଯୁକ୍ତି ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ଅଂଶଗ୍ରହଣ ଏକ ଅର୍ଥନୈତିକ ଆବଶ୍ୟକତା ଅଟେ। ‘ସୁଭଦ୍ରା ଯୋଜନା’ର ପ୍ରଭାବ ସମ୍ପର୍କରେ ସେ ସୂଚନା ଦେଇଛନ୍ତି ଯେ, ହିତାଧିକାରୀମାନେ ଏହି ଆର୍ଥିକ ସହାୟତାକୁ ପିଲାଙ୍କ ଶିକ୍ଷା, ଉଦ୍ୟୋଗ ଏବଂ ଆୟକାରୀ କାର୍ଯ୍ୟକଳାପ ଭଳି ସୃଜନଶୀଳ କାର୍ଯ୍ୟରେ ଅଧିକରୁ ଅଧିକ ବିନିଯୋଗ କରୁଛନ୍ତି।
ଗୃହ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା (ଆଇଏଏସ) ଓଡ଼ିଶାରେ ମହିଳା ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଉଦ୍ୟୋଗ ଏକ ଆହ୍ୱାନପୂର୍ଣ୍ଣ ଯାତ୍ରା ହୋଇଥିଲେ ମଧ୍ୟ ମହିଳା ଉଦ୍ୟୋଗୀମାନେ କ୍ରମାଗତ ଭାବେ ଉଚ୍ଚ ସଫଳତା ହାସଲ କରି ଦେଖାଇଛନ୍ତି। ଓଡ଼ିଶା ଏବେ ପାରମ୍ପରିକ କ୍ଷେତ୍ର ବ୍ୟତୀତ ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ, ଏଫଏମସିଜି (FMCG) ଏବଂ ଗୃହୋପକରଣ ଭଳି ଏକ ବିବିଧ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସୁଯୋଗ ପ୍ରଦାନ କରୁଛି । ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ସେ ସୂଚନା ଦେଇଛନ୍ତି ଯେ, ପ୍ରତି ଜିଲ୍ଲାରେ ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି (DIPA) ପ୍ରତିଷ୍ଠା କରାଯାଇଛି ଏବଂ ଏହା ମଧ୍ୟରେ ୩,୦୦୦ରୁ ଅଧିକ ଆବେଦନ ପତ୍ର ପ୍ରକ୍ରିୟାକରଣ କରାଯାଇ ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରାଯାଇଛି।

ଅତିଥି ଓ ପ୍ରତିଭାଗୀମାନଙ୍କୁ ସ୍ୱାଗତ କରି ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ସିଂ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ କେବଳ ଉଲ୍ଲେଖନୀୟ ସଫଳତାକୁ ସେଲିବ୍ରେଟ୍ କରିବା ପାଇଁ ନୁହେଁ, ବରଂ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି ଯେ ଉଦ୍ୟୋଗ ପାଇଁ ଅପାର ନିଷ୍ଠା, ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଆବଶ୍ୟକ। ବ୍ୟତିକ୍ରମୀ ମହିଳା ସଫଳ ଅଧିକାରୀମାନଙ୍କୁ ସମ୍ମାନିତ କରିବା ସହ ମହିଳା ଉଦ୍ୟୋଗୀମାନଙ୍କ ସହ ଏମଓୟୁ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ ପ୍ରତିଶ୍ରୁତିକୁ ଆନୁଷ୍ଠାନିକ ରୂପ ଦିଆଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ସିଆଇଆଇ ଆଇଡବ୍ଲ୍ୟୁଏନ୍ ଶକ୍ତି ସମ୍ମାନ ୨୦୨୬ ଅଧୀନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୬ ଜଣ ମହିଳା ସଫଳ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ଏହି ସନ୍ଧ୍ୟାର ଏକ ପ୍ରମୁଖ ଆକର୍ଷଣ ଥିଲା । ସ୍ୱାସ୍ଥ୍ୟସେବା, ପରିବେଶ ଓ ସ୍ଥିରତା, ଷ୍ଟାର୍ଟଅପ୍, ଶିକ୍ଷା, ଗଣମାଧ୍ୟମ ଓ ମନୋରଞ୍ଜନ, କ୍ରୀଡ଼ା, କୁଟୀର ଓ କ୍ଷୁଦ୍ର ଶିଳ୍ପ, ସାମାଜିକ ବିକାଶ ଏବଂ ଉଦ୍ୟୋଗ ଭଳି କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ନେତୃତ୍ୱ, ସହନଶୀଳତା, ନବସୃଜନ ଏବଂ ସମାଜ ପ୍ରତି ସ୍ଥାୟୀ ଅବଦାନ ପାଇଁ ସମ୍ମାନିତ କରାଯାଇଛି।
ଏହି ଅବସରରେ ଚିତ୍ରା ଅରୁମୁଗମ, ଆଇଏଏସ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର, ମହିଳା ଉଦ୍ୟୋଗୀମାନଙ୍କର ପ୍ରଗତିର ଯାତ୍ରା ଏବଂ ରାଜ୍ୟର ନିରନ୍ତର ଓ ସମତାଭିତ୍ତିକ ଆର୍ଥିକ ବିକାଶରେ ସେମାନଙ୍କର ମୂଲ୍ୟବାନ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ରାଜ୍ୟର ଅର୍ଥନୀତି ଓ ସମାଜ ଗଠନରେ ମହିଳାମାନେ କିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରୁଛନ୍ତି ।
ସନ୍ଧ୍ୟାର ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା CII IWN ଶକ୍ତି ସମ୍ମାନ–୨୦୨୬ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୬ ଜଣ କୃତୀ ମହିଳାଙ୍କୁ ସମ୍ମାନିତ କରାଯିବା । ସ୍ୱାସ୍ଥ୍ୟସେବା, ପରିବେଶ ଓ ସ୍ଥାୟୀ ବିକାଶ, ଷ୍ଟାର୍ଟଅପ୍, ଶିକ୍ଷା, ଗଣମାଧ୍ୟମ ଓ ମନୋରଞ୍ଜନ, କ୍ରୀଡ଼ା, କୁଟୀର ଓ କ୍ଷୁଦ୍ର ଶିଳ୍ପ, ସାମାଜିକ ବିକାଶ ଏବଂ ଉଦ୍ୟୋଗିତା ଭଳି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଏହି ସମ୍ମାନ ମାଧ୍ୟମରେ ସ୍ୱୀକୃତି ଦିଆଯାଇଥିଲା। ଏହି ସମ୍ମାନରେ ସେମାନଙ୍କର ଉତ୍କୃଷ୍ଟ ନେତୃତ୍ୱ, ଦୃଢ଼ତା, ନବସୃଜନଶୀଳତା ଏବଂ ସମାଜ ପ୍ରତି ସ୍ଥାୟୀ ଅବଦାନକୁ ଗୌରବାନ୍ୱିତ କରାଯାଇଥିଲା।
ସିଆଇଆଇ ଆଇଡବ୍ଲ୍ୟୁଏନ୍ ଓଡ଼ିଶାର ଅଧ୍ୟକ୍ଷା, ସୁଶ୍ରୀ ଜୁବିନା ଅଲୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ। ଚତୁର୍ଥ ସଂସ୍କରଣର ‘ଶକ୍ତି ସମ୍ମାନ’କୁ ମହିଳା ନେତୃତ୍ୱ ଓ ସଫଳତାର ଏକ ସାର୍ଥକ ଉତ୍ସବରେ ପରିଣତ କରିଥିବାରୁ ସେ ଓଡ଼ିଶା ସରକାର, ଶିଳ୍ପ ଜଗତର ନେତୃବୃନ୍ଦ, ଅଂଶୀଦାର, ଜୁରି ସଦସ୍ୟ ଏବଂ ପ୍ରତିଭାଗୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ସିଆଇଆଇ ଆଇଡବ୍ଲ୍ୟୁଏନ୍ ଶକ୍ତି ସମ୍ମାନ ଓଡ଼ିଶାର ଏକ ପ୍ରତିଷ୍ଠିତ ମଞ୍ଚ ଭାବେ ଉଭା ହୋଇଛି, ଯାହା ବାଧାବିଘ୍ନକୁ ଆଡ଼େଇ, ସମାଜକୁ ଅନୁପ୍ରାଣିତ କରି ସ୍ଥାୟୀ ସାମାଜିକ ଓ ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିଥିବା ମହିଳାମାନଙ୍କୁ ସ୍ୱୀକୃତି ପ୍ରଦାନ କରିଆସୁଛି। ଏହି ପ୍ରମୁଖ ପଦକ୍ଷେପ ମାଧ୍ୟମରେ ସିଆଇଆଇ ଇଣ୍ଡିଆନ ଓମେନ ନେଟୱର୍କ ଓଡ଼ିଶା ଏକ ଅଧିକ ସମାବେଶୀ, ସମାନତା ଏବଂ ସଶକ୍ତ ଭବିଷ୍ୟତ ଗଠନ କରିବା ଦିଗରେ ନିଜର ଦୂରଦୃଷ୍ଟିକୁ ଆଗକୁ ବଢ଼ାଉଛି, ଯେଉଁଠାରେ ମହିଳାମାନେ ସ୍ଥାୟୀ ବିକାଶ, ନବସୃଜନ ଏବଂ ରୂପାନ୍ତରଣର ଅନୁକ୍ରମଣିକା ଭାବେ କାର୍ଯ୍ୟ କରିବେ।