ପଦ୍ମପୁର/ଶିବାଶିଷ ପଟ୍ଟନାୟକ:– ଦୀର୍ଘ ୩୪ ବର୍ଷର ନିରବଚ୍ଛିନ୍ନ ଓ ନିଷ୍ଠାପର ସରକାରୀ ସେବା ପରେ ଆଜି ପଦ୍ମପୁର ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ପତି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ପଦ୍ମପୁର କାର୍ଯ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଶ୍ରୀଯୁକ୍ତ ପତି ନିଜ କାର୍ଯ୍ୟକାଳ ମଧ୍ୟରେ ୧୧ ଟି ବିଭିନ୍ନ ସ୍ଥାନକୁ ବଦଳି ହୋଇ ପ୍ରତ୍ୟେକ କାର୍ଯ୍ୟାଳୟରେ ନିଜର ଦକ୍ଷତା, ସାଧୁତା ଓ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସଦାସର୍ବଦା ପ୍ରଶଂସିତ ହୋଇଆସିଛନ୍ତି। ତାଙ୍କର ପ୍ରଥମ ପୋଷ୍ଟିଂ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ହୋଇଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ପରେ ସେ ୨୦୧୬ ମସିହାରେ ରାଜସ୍ୱ ବିଭାଗରେ ଯୋଗଦାନ କରିଥିଲେ। ତାଙ୍କ ଚାକିରି ଜୀବନର ଶେଷ ପୋଷ୍ଟିଂ ପଦ୍ମପୁରଠାରେ ହୋଇଥିବା ବେଳେ, ସେ ୨୦୨୩ ମସିହା ମେ’ ମାସରେ ଏଠାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ କୁଲୁ, ଉପ-ଜିଲ୍ଲାପାଳ ହେମସାଗର ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନେ ଶ୍ରୀ ପତିଙ୍କ କର୍ତ୍ତବ୍ୟପରାୟଣତା, ସରଳ ସ୍ୱଭାବ ଓ ସେବା ମନୋଭାବର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଅବସରପର ସୁସ୍ଥ, ନିରାମୟ ଓ ସୁଖମୟ ଜୀବନ କାମନା କରିଥିଲେ। ସଭା ଶେଷରେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକୀ ପ୍ରଦାନ କରାଯାଇ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଜଣାଯାଇଥିଲା।