ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମ୍ପତ୍ତି ଭାଗରୁ ଶତ୍ରୁତା ଓ ପରେ ଏ ନେଇ ଭାଇ ବୋହୂକୁ ଆକ୍ରମଣ କରି ମୁଣ୍ଡ ଫଟାଇବା ଭଳି ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମ ସାହିର ବାତୁଲା ରାଜଶେଖର (୪୦ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଭର୍ତ୍ସନା କରି ଭବିଷ୍ୟତରେ ଏଭଳି କାର୍ଯ୍ୟରୁ କ୍ଷାନ୍ତ ହେବା ନିମନ୍ତେ ଆଦେଶ ଦେଇଛନ୍ତି। ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜଙ୍ଗମ ସାହିର ଏତଲାକାରିଣୀ ବାତୁଲା ବିଜୟଲକ୍ଷ୍ମୀ ତା ୦୬-୦୧-୨୦୨୪ରିଖ ଦିନ ସକାଳ ସମୟରେ ନିଜ ଭାଗରେ ଥିବା ପୈତୃକଘରର ବାଡ଼ି ପଟେ ପଡିଥିବା ତାଲାକୁ ଖୋଲୁଥିବା ସମୟରେ ଦେଢଶୁର ତଥା ଅଭିଯୁକ୍ତ ବାତୁଲା ରାଜଶେଖର ସେଠାକୁ ଆସି ବିରୋଧ କରିବା ସହ ତାଙ୍କୁ ଠେଲାପେଲା କରିଥିଲେ ଓ ଏକ ଲୁହା ହାତୁଡିରେ ତାଙ୍କ ମୁଣ୍ଡକୁ ମାରି କ୍ଷତାକ୍ତ କରିଥିଲେ। ପରେ ସେ ଘରେ ସବୁ ଜିନିଷ ଫିଙ୍ଗାଫୋପଡା କରିବା ସହ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ। ଶେଷରେ ବାଧ୍ୟ ହୋଇ ଏହି ଘଟଣାକୁ ନେଇ ଏତଲାକାରିଣୀ ସେହିଦିନ ହିଁ ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୭/୨୦୨୪ରେ ଏକ ମାମଲା ରୁଜୁ କରିଥିଲେ ଏବଂ ତତ୍କାଳୀନ ଏ.ଏସ.ଆଇ. ଅଭିମନ୍ୟୁ ପଲେଇ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ।
ଶେଷରେ ୯ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ୫ଟି ଦସ୍ତାବିଜକୁ ଭିତ୍ତି କରି ତଥା ପାରିବାରିକ ସମ୍ପର୍କ ଓ ପୂର୍ବରୁ ସେ ଭଳି ଅପରାଧିକ ପୃଷ୍ଠଭୂମି ନଥିବା କଥାକୁ ନଜରରେ ରଖି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.