ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୩ମସିହାରେ ଗଜପତି ଜିଲ୍ଲାର ଅମରସିଂ ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ , ଯେଉଁଥିରେ କି ଏକ ନିର୍ଦୟୀ ସ୍ୱାମୀ ନିଜର ସ୍ତ୍ରୀର ଅସ୍ତ୍ରୋପଚାର ହୋଇଥିବା ପେଟକୁ ଲାତ ଗୋଇଠା ମାରି ଜୀବନରୁ ମାରିଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ୍ ହର ପ୍ରସାଦ ପଟ୍ଟନାୟକ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୪ ଭାଗ ୨ ଅନୁସାରେ ଗାରାବନ୍ଧ ଥାନା ଅନ୍ତର୍ଗତ ଅମରସିଂ ନିବାସୀ ଅଭିଯୁକ୍ତ ଗୁରୁନାଥ ଶବର (୪୩ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆହୁରି ଦୁଇମାସ ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତା ୨୮-୧୧-୨୦୨୩ରିଖ ଦିନ ୩.୩୦ଘଟିକା ସମୟରେ ଯେତେବେଳେ ଏତଲାକାରିଣୀ ଝିଅ ପ୍ରିୟଙ୍କା ଶବର ନିଜ ବାପଘରକୁ ନିଜ ମାଆଙ୍କୁ ଭେଟିବାକୁ ଯାଇଥିଲେ ସେତେବେଳେ ସେ ମାଆଙ୍କୁ ଘରେ ନ ପାଇ ଅପେକ୍ଷା କରିଥିଲେ। ପରେ ସନ୍ଧ୍ୟା ୬.୩୦ଘଟିକା ସମୟରେ ସେ “ମତେ ବଞ୍ଚାଅ, ବଞ୍ଚାଅ” ଶୁଣିବାକୁ ପାଇଥିଲେ ଓ ତାଙ୍କ ମାଉସୀ ଗୁରୁବାରୀ ଜାନୀ ବାଡ଼ି କବାଟ ଖୋଲିଲା ପରେ ମୃତକ ତୁସିନ୍ଦା ଶବରଙ୍କୁ ଅତ୍ୟଧିକ ବିକଳ ଅବସ୍ଥାରେ ଡାକ ପକାଉଥିବାର ଦେଖି ତାଙ୍କୁ ଉଦ୍ଧାର କରିଥିଲେ ଓ ପରେ ତାଙ୍କ ପାଖରୁ ଶୁଣିବାକୁ ପାଇଥିଲେ ଯେ, ଅଭିଯୁକ୍ତ ସ୍ୱାମୀଜଣଙ୍କ ତାଙ୍କ ଅସ୍ତ୍ରୋପଚାର ହୋଇଥିବା ପେଟକୁ ଲାତ ଗୋଇଠା ମାରି ତାଙ୍କ ଅବସ୍ଥା ସାଙ୍ଘାତିକ କରିଦେଇଛନ୍ତି। ପରେ ଅଧିକ କଷ୍ଟଦାୟକ ପୀଡା ହେବାରୁ ତା ପରଦିନ ସକାଳ ସମୟରେ ଅଟୋ ଡାକି ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଚିକିତ୍ସାଳୟକୁ ନେବା ସମୟରେ ସେ ମୃତ୍ୟୁବରଣ କରିଥିବା କଥା ଡାକ୍ତର କହିଥିଲେ।
ଏହା ପରେ ସେହି ଦିନ ଅଭିଯୁକ୍ତ ବାପାଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରିଣୀ ଝିଅ ଏକ ସଙ୍ଗିନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୮୯/୨୩ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ପ୍ରଧାନ ଓ ଲୋକନାଥ ବେହେରା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୨୨ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୨୬ ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.