ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ, ଅଞ୍ଚଳରେ ଭୟର ବାତାବରଣ

8


ଘୁ.ଉଦୟଗିରି, ୨୯/୦୭(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ଡଙ୍ଗାଏଯୁ ଗ୍ରାମ ନିକଟସ୍ଥ ସିରାପାଦେରୀ ନିକଟରେ ଦନ୍ତା ହାତୀ ଆକ୍ରମଣରେ ପ୍ରଦୀପ ପ୍ରଧାନ ନାମକ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଡଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ ଗ୍ରାମ ନିକଟରେ ବିଭିନ୍ନ ପ୍ରକାର ଫସଲ ଚାଷ କାମ ସାରି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ସିରାପାଦେରି ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ ଦନ୍ତା ହାତୀ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀକୁ ଦେଖି ସାଙ୍ଗରେ ଥିବା ବ୍ୟକ୍ତି ଜଣକ ଦୌଡ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ| କିନ୍ତୁ ପ୍ରଦୀପ ପ୍ରଧାନ ହାତୀ କବଳରୁ ବର୍ତ୍ତି ପାରିନଥିଲେ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବା ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ପରେ ସାଙ୍ଗରେ ଥିବା ବ୍ୟକ୍ତି ଜଣକ ଭୟଭୀତ ଅବସ୍ଥାରେ ଗ୍ରାମକୁ ଦୌଡ଼ି ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳେ ପ୍ରବଳ ବର୍ଷା ହେଉଥିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଘୁ.ଉଦୟଗିରି ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ରାତିରେ ଅଧିକ ବର୍ଷା ଓ ଅନ୍ୟାନ୍ୟ କାରଣରୁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ। ଆଜି ବୁଧବାର ଦିନ ସକାଳେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ଗ୍ରାମବାସୀ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ମିଳିବାକୁ ଥିବା ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ। ଏଥିସହ ଅଞ୍ଚଳରେ ହାତୀ ଚଳପ୍ରଚଳ ସମ୍ପର୍କରେ ଲୋକଙ୍କୁ ଆଗୁଆ ସୂଚନା ଦେବା ପାଇଁ ସୌରଚାଳିତ ସାଇରନ, ସୋଲାର ଲାଇଟ୍ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଥିଲେ। ଏହାସହ ନିୟମିତ ପାଟ୍ରୋଲିଂ କରିବା ଏବଂ ହାତୀ ଆସିବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିବାକୁ ଘୁ.ଉଦୟଗିରି ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକଙ୍କ ନିକଟରେ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଥିଲା। ସେପଟେ ଘୁ ଉଦୟଗିରି ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ ଯଥା ଶୀଘ୍ର ସରକାରଙ୍କ ଅନୁକମ୍ପା ରାଶି ଯାହା ରହିଛି ତୁରନ୍ତ ଦେବା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଘଟଣାସ୍ଥଳରେ ପାବୁରିଆ, ଘୁ.ଉଦୟଗିରି ଓ ଟିକାବାଲି ବନ ବିଭାଗର ଅଧିକାରୀଙ୍କ ସମେତ ଟିକାବାଲି ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ ଅଧିକାରୀ କହିଥିଲେ| ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା, ନିୟମିତ ପାଟ୍ରୋଲିଂ, ସାଇରନ ଓ ସଚେତନତା କାର୍ଯ୍ୟକ୍ରମ ବଢ଼ାଇଲେ ଆଗାମୀ ଦିନରେ ଏଭଳି ଦୁଃଖଦ ଘଟଣାକୁ ରୋକାଯାଇପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.