ସମ୍ବଲପୁର ତପସ୍ୱିନୀ ହଲ୍ଠାରେ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଅନୁଷ୍ଠିତ
ସମ୍ବଲପୁର ୧୪/୧୧/୨୬: ବଲାଙ୍ଗୀରଠାରେ ପୂର୍ବାହ୍ନ ୧୧:୦୦ ଘଟିକାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଆବଣ୍ଟନ କାର୍ଯ୍ୟକ୍ରମର ସିଧାପ୍ରସାରଣ ସମ୍ବଲପୁର ସ୍ଥିତ ତପସ୍ୱିନୀ ହଲ୍ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁରର ମାନ୍ୟବର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନୀ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁଧାଂଶୁ ଭୋଇ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ ପାତ୍ର ଏବଂ ଧନକଉଡ଼ା ବିଡିଓ ଶ୍ରୀ ଅନିଲ କୁଲ୍ଲୁ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟ ଅତିଥି ଶ୍ରୀ ଜୟନାରାୟଣ ମିଶ୍ର କହିଥିଲେ ଯେ, “ଗୋଟିଏ ଦେଶ ବା ରାଜ୍ୟର ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବା ଦ୍ୱାରା ହିଁ ପ୍ରତିଫଳିତ ହୋଇଥାଏ।” ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ, “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ୨୦୨୯ ମସିହା ସୁଦ୍ଧା ଜିଲ୍ଲାର ସମସ୍ତ ମାଟି ଘରକୁ ପକ୍କା ଘରେ ପରିଣତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ କରାଯାଉଛି।” ଏହି ଅବସରରେ ଜିଲ୍ଲାରେ ମଦ ଏବଂ ଜୁଆ ଭଳି ସାମାଜିକ କୁସଂସ୍କାର ଉପରେ ଉଦ୍ବେଗ ପ୍ରକାଶ କରି ମାନ୍ୟବର ବିଧାୟକ ଜନସାଧାରଣଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସରକାରୀ ସହାୟତା ସହିତ ନିଜସ୍ୱ ସଞ୍ଚୟକୁ ବିନିଯୋଗ କରି ପ୍ରତ୍ୟେକ ପରିବାର ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କଲେ ହିଁ ସମ୍ବଲପୁର ଜିଲ୍ଲା ରାଜ୍ୟର ଏକ ନମ୍ବର ବିକଶିତ ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।