କେନ୍ଦୁଝର,ତା୨୦/୭- ଦେଶର ଶିକ୍ଷା ବ୍ୟବସ୍ଥାକୁ ବଞ୍ଚାଇବା ଏବଂ ଯୁବପିଢ଼ିର ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ସଂଘର୍ଷ କରୁଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଆଜି କେନ୍ଦୁଝରରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆମ୍ ଆଦମୀ ପାର୍ଟି କେନ୍ଦୁଝରର ସଭାପତି ପ୍ରେମାନନ୍ଦ ସିଂହ କେନ୍ଦ୍ରର ବିଜେପି ସରକାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ଶିକ୍ଷା କ୍ଷେତ୍ରରେ ଅନିୟମିତତା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଆଭିମୁଖ୍ୟ ଦେଶର ଯୁବପୀଢ଼ିର ଭବିଷ୍ୟତକୁ ବିପଦରେ ପକାଉଛି। ସେ କହିଥିଲେ ଯେ ବିଜ୍ଞାପନ ଓ ପ୍ରଚାରରେ ନୁହେଁ, ବରଂ ସ୍ୱଚ୍ଛ ଏବଂ ଜବାବଦେହୀ ଶିକ୍ଷା ବ୍ୟବସ୍ଥା ଗଢ଼ିବାରେ ସରକାରର ସଫଳତା ମାପାଯିବା ଉଚିତ।

ସେ ଆହୁରି କହିଥିଲେ ଯେ, ଯଦି ଶିକ୍ଷା ନୀତିରେ ସୁଧାର ଅଣାଯିବ ନାହିଁ, ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ନାହିଁ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଅବହେଳା କରାଯିବ, ତେବେ ଆମ୍ ଆଦମୀ ପାର୍ଟି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରି ଏକ ବ୍ୟାପକ ଗଣ ଆନ୍ଦୋଳନ ଆରମ୍ଭ କରିବ।ଉକ୍ତ ପ୍ରତିବାଦ ସଭା ରେ କେନ୍ଦୁଝର ଆମ୍ ଆଦମୀ ପାର୍ଟିର ଅରୁଣ କୁମାର ନାଏକ, ଲୁଲୁ ମହାକୁଡ଼, ସନ୍ତୋଷ ବାରିକ, ଜୈନୁଲ ଅବେଦିନ, ଦାଶରଥି ମହାନ୍ତ, ଭବାନୀ ମହାନ୍ତ, କମଳ ଲୋଚନ, ଗୋପବନ୍ଧୁ ମହାନ୍ତ, ପ୍ରଫୁଲ୍ଲ ସର୍ଦ୍ଦାର, ଦେବାଶିଷ ଚାନ୍ଦ, ଲିପୁ ବାରିକ, ଜିତୁ ନାଏକ, ଲୋହିତ ମହାନ୍ତ ଙ୍କ ସହ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଦ ମାଝୀ ଉପସ୍ଥିତ ଥିଲେ।