ବିଭାଗୀୟ ସମନ୍ୱୟ ଅଭାବରୁ ପରିଣାମ ଭୋଗୁଛନ୍ତି ସାଧାରଣ ବାଟୋଇ
ଓଡ଼ଗାଁ, ୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ କଲେଜ ରୋଡ଼ରେ ସହରୀ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ବିଛାଇବା ଉଦ୍ଦେଶ୍ୟରେ ରାସ୍ତା ପାର୍ଶ୍ୱ ଖୋଳାଯାଇଥିବା ରୁ ଗମନାଗମନ ବ୍ୟାହତ ହେଉଛି। ଫଳରେ ଏହି ବ୍ୟସ୍ତବହୁଳ ରାସ୍ତାରେ ପ୍ରତିଦିନ ଯାତାୟାତ କରୁଥିବା ସାଧାରଣ ଲୋକ ଓ ଯାନବାହନ ଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସୂଚନାନୁସାରେ, ପଲିଟେକନିକ୍ କଲେଜଠାରୁ ଓଡ଼ଗାଁ ବଜାର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରତି ଓସାରିଆ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। କିନ୍ତୁ ଏହା ପରେ ବିଦ୍ୟୁତ୍, ଟେଲିକମ୍ ଓ ବର୍ତ୍ତମାନ ସହରୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବାରମ୍ବାର ରାସ୍ତା ପାର୍ଶ୍ୱ ଖୋଳାଯାଉଥିବାରୁ ମୂଳଦୁଆ ଦୃବଳ ହୋଇପଡୁଥିବାରୁ ଭାରି ଯାନ ଗମନାଗମନ କାରଣରୁ ରାସ୍ତା ନିର୍ଦ୍ଧାରିତ ସମୟ ପୂର୍ବରୁ କ୍ଷତିଗ୍ରସ୍ତ ହେଉଛି। ଏଥିସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଅଜଥା ସରକାରୀ ଅର୍ଥ ବ୍ୟୟ ହେବା ସହ ଜନସାଧାରଣଙ୍କୁ ଦୁର୍ଭୋଗ ସହିବାକୁ ପଡ଼ୁଛି। ବର୍ତ୍ତମାନ ଜଳଯୋଗାଣ ନିମନ୍ତେ ପାଇପ୍ ଲାଇନ୍ ପାଇଁ ଖୋଳାଯାଇଥିବା ରାସ୍ତାର ମରାମତି କେଉଁ ବିଭାଗ କରିବ ଏବଂ ଏଥିପାଇଁ କେଉଁ ବିଭାଗ ଅର୍ଥ ବ୍ୟୟ କରିବ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନଥିବା ଜଣାପଡିଛି । ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରହିଲେ ବାରମ୍ବାର ରାସ୍ତା ଖୋଳିବାର ଆବଶ୍ୟକତା କମିପାରାନ୍ତା, ଏବଂ ସରକାରୀ ଅର୍ଥ ସହ ଜନସାଧାରଣଙ୍କ ଦୁର୍ଭୋଗକୁ ଏଡ଼ାଯାଇପାରିଥାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ରାସ୍ତାର ଶୀଘ୍ର ମରାମତି ସହ ବିଭାଗୀୟ ସମନ୍ୱୟ ରକ୍ଷା କରିବାକୁ ସାଧାରଣରେ ଦାବି ହେଉଛି।