ଅନଲାଇନ୍ ଠକେଇ ଶିକାର ଯୁବକଙ୍କ ୪୭,୩୪୪ ଟଙ୍କା ହଡ଼ପ, ଥାନାରେ ଅଭିଯୋଗ

0

ଓଡ଼ଗାଁ, ୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଅଞ୍ଚଳର ଜଣେ ଯୁବକ ଅନଲାଇନ୍ ଠକେଇର ଶିକାର ହୋଇ ମୋଟ ୪୭,୩୪୪ ଟଙ୍କା ହରାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଥମେ ଓଡ଼ଗାଁ ଥାନାକୁ ଅଭିଯୋଗ ନେଇ ଯାଇଥିବା ବେଳେ ସୂଚନା ପାଇ ନୟାଗଡ଼ ସାଇବର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା କହିଛନ୍ତି। ଅଭିଯୋଗ ଅନୁସାରେ, ଜୁଲାଇ ୧୨ ତାରିଖରେ ତାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କର ଖାତାରୁ ତାଙ୍କ ଅଜାଣତରେ ଅନୁମତି ବିନା ୟୁପିଆଇ ମାଧ୍ୟମରେ ପର୍ଯ୍ୟାୟକ୍ରମେ ୩୦,୦୦୦ ଟଙ୍କା, ୭,୮୫୦ ଟଙ୍କା, ୬,୮୦୦ ଟଙ୍କା ଏବଂ ୨,୬୯୪ ଟଙ୍କା ଉଠାଣ ହୋଇଥିଲା। ଏହି ସମସ୍ତ କାରବାରର ମୋଟ ପରିମାଣ ୪୭,୩୪୪ ଟଙ୍କା।
ପୀଡ଼ିତଙ୍କ କହିବା ଅନୁସାରେ, ସେ ଏହି କାରବାର ଗୁଡ଼ିକ ସମ୍ପର୍କରେ କୌଣସି ପ୍ରକାରର ଅନୁମୋଦନ ଦେଇନାହାନ୍ତି। ତେଣୁ ତାଙ୍କ ବ୍ୟାଙ୍କ ଖାତାକୁ ଠକେଇ ଉଦ୍ଦେଶ୍ୟରେ ଅନଧିକୃତ ଭାବେ ପ୍ରବେଶ କରିଥିବା ସନ୍ଦେହ ହେଉଛି। ସେ ଏନେଇ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ କାରବାରର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ଏହାସହ ପୀଡ଼ିତ ନୟାଗଡ଼ ସାଇବର ଥାନାରେ ଏଫ୍‌ଆଇଆର୍‌ ପଞ୍ଜିକରଣ କରି ଘଟଣାର ତଦନ୍ତ, ଦୋଷୀଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏବଂ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.