ଓଡ଼ଗାଁ, ୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଛାଟିଆ ପ୍ରଧାନ (୭୫), ଗ୍ରାମ ଚଡୟାପଲ୍ଲୀ, ପଞ୍ଚରିଡାଙ୍କ ଅଭିଯୋଗ ଅନୁସାରେ, ସେ ମଙ୍ଗଳବାର ରାତି ପ୍ରାୟ ୯.୩୦ ମିନିଟ୍ ସମୟରେ ସଚିନ୍ ବିଶ୍ୱାଳଙ୍କ ଦୋକାନକୁ ସ୍ତ୍ରୀଙ୍କ ମୃତ୍ୟୁ ସାର୍ଟିଫିକେଟର ଜେରକ୍ସ କରିବା ପାଇଁ ଯାଇଥିଲେ। ଏହି ସମୟରେ ସେହି ଗ୍ରାମର କାଳିଆ ପ୍ରଧାନ (୨୮) ସେଠାରେ ପହଞ୍ଚି ତମପୁଅକୁ ଆମ ଦୁଆରକୁ ଆସିବା ଏବଂ ଫୋନ୍ କରିବାକୁ ମନାକରିବା ନେଇ ଧମକାଇ ଛାଟିଆଙ୍କୁ କହିଥିଲା । ଏ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ । ସେକଥା ତମେ ବୁଝିବ ଏବଂ ପୁଅ ବୁଝିବ ବୋଲି ଛାଟିଆ ପ୍ରଧାନ କହିଥିଲେ । ଏହାକୁ ନେଇ କାଳିଆ ପ୍ରଧାନ ଉତ୍ତ୍ୟକ୍ତ ହୋଇ ଛାଟିଆ ପ୍ରଧାନଙ୍କୁ ଅଶ୍ଳୀଳ ଭାଷାରେ ଅନେକ ଗାଳିଗୁଲଜ କରିବା ସହ ଜେରକ୍ସ ଦୋକାନ କାନ୍ଥରେ ପଡ଼ିଥିବା ଏକ କାଠ ଫାଳିଆରେ ଛାଟିଆଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଛାଟିଆ ପ୍ରଧାନଙ୍କ କହୁଣୀରେ ଏବଂ ପିଠିରେ ଗଭୀର ଆଘାତ ଲାଗିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସଚିନ୍ ବିଶ୍ୱାଳ ଓ ମୁନା ସାହୁ ଓରଫ ପଦ୍ମଲୋଚନ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଶରଣକୁଳ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଚିକିତ୍ସା ପରେ ଛାଟିଆ ପ୍ରଧାନ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ପରେ ପୁଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.