୧୧ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଜାରି,

0

ଓଡ଼ଗାଁ, ୦୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ୧୧ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବାଣ୍ଠପୁର ଗ୍ରାମର ଚଇ ପ୍ରଧାନ (୨୪) ବୁଧବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ମଙ୍ଗଳବାର ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ କେସ୍ ନଂ ୨୦୧/୨୬ରେ ମାମଲା ରୁଜୁ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପ୍ରକ୍ରିୟାରେ ନାବାଳିକାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି।
ଏହା ସହିତ ଫରେନସିକ୍ ବୈଜ୍ଞାନିକ ଦଳ ଘଟଣାସ୍ଥଳ ଓ ସମ୍ପୃକ୍ତ ଘରକୁ ଯାଇ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ଏବଂ ଏସ୍‌ଆଇ ଚକ୍ରଧର ସିଂଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି।
ଏହି ମଧ୍ୟରେ ବୁଧବାର ମଧ୍ୟାହ୍ନରେ ଅଭିଯୁକ୍ତ ଚଇ ପ୍ରଧାନ ଆତ୍ମହତ୍ୟା କରିଥିବା ସମ୍ପର୍କରେ ଓଡ଼ଗାଁ ପୋଲିସ ସୂଚନା ପାଇଥିଲା। ପରବର୍ତ୍ତୀ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ସେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାରୀ ଗ୍ରାମସ୍ଥିତ ନିଜ ଭଉଣୀଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ଏ ନେଇ ବୁଗୁଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ଜବତ କରାଯାଇଛି।
ନାବାଳିକାଙ୍କ ପରିବାର ପକ୍ଷରୁ ଦାଖଲ ଅଭିଯୋଗ ଅନୁଯାୟୀ, ଗତ ସୋମବାର ମଧ୍ୟାହ୍ନରେ ଘରେ ନାବାଳିକା ଏକା ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଘର ପଛପାଖକୁ ଜବରଦସ୍ତ ନେଇ ଦୁଷ୍କର୍ମ କରିଥିଲା। ବାପା ଓ ମାଆ ଘରକୁ ଫେରିବା ପରେ ନାବାଳିକା ଘଟଣା ସମ୍ପର୍କରେ ମାଆଙ୍କୁ ଜଣାଇଥିଲେ। ପରଦିନ ଏ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଉଭୟ ଦୁଷ୍କର୍ମ ମାମଲା ଓ ଅଭିଯୁକ୍ତଙ୍କ ଅପମୃତ୍ୟୁ ଘଟଣାର ତଦନ୍ତ ସମ୍ପୃକ୍ତ ପୋଲିସ ପକ୍ଷରୁ ଜାରି ରହିଛି।

Leave A Reply

Your email address will not be published.