ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ପରେ ପରିବାରିକ ବିବାଦ, ଶାବଳ ଆକ୍ରମଣରେ ଦାଦା ଗୁରୁତର; ନ୍ୟାୟ ଦାବିରେ ଥାନା ଆଗରେ ପରିବାର ।

0

କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସମ୍ପର୍କୀୟ ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ଦେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ପରିବାରିକ ବିବାଦ ଶେଷରେ ରକ୍ତାକ୍ତ ଘଟଣାର ରୂପ ନେଇଛି। ଶାବଳରେ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ସଂଘର୍ଷ କରୁଥିବା ବେଳେ, ଅଭିଯୁକ୍ତଙ୍କ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତର ନରଣପଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ସମ୍ପର୍କୀୟ ପୁତୁରା ନୀଳାଦ୍ରି ଦାସ ନିଜ ଖୁଡ଼ିଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଓ ପାଟିତୁଣ୍ଡ ଲାଗି ରହିଥିବା କୁହାଯାଉଛି।

ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଶଶିକାନ୍ତ ଦାସ (ମିଲୁ) ଘରକୁ ଫେରୁଥିବା ସମୟରେ ନୀଳାଦ୍ରି ଦାସ ତାଙ୍କ ଉପରେ ଶାବଳରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଶଶିକାନ୍ତ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ପୀଡ଼ିତ ପରିବାରର ଅଭିଯୋଗ ହେଉଛି, କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଶାନୁରୂପ ତୁରନ୍ତ ପୋଲିସ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏହାର ପ୍ରତିବାଦରେ ପରିବାର ସଦସ୍ୟ ଓ ଗ୍ରାମବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନ୍ୟାୟ ଦାବି କରିଥିଲେ।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଏସ୍‌ପି ଓ ଏସ୍‌ଡିପିଓ ଥାନାରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଅଭିଯୁକ୍ତ ନୀଳାଦ୍ରି ଦାସ ଫେରାର ଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ବିସ୍ତୃତ ପ୍ରତିକ୍ରିୟା ମିଳିନାହିଁ।

ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ, ପୀଡ଼ିତ ପରିବାର ଅଭିଯୁକ୍ତଙ୍କ ଶୀଘ୍ର ଗିରଫ ଓ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.