କେନ୍ଦ୍ରାପଡା:୦୬,୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ସାଧାରଣତଃ ଲୋକେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରନ୍ତି, ହେଲେ ଯେତେବେଳେ ବ୍ୟବସ୍ଥା ଅନ୍ଧ ଓ ବଧିର ସାଜେ, ସେତେବେଳେ ଜନତା ଭିନ୍ନ ଢଙ୍ଗରେ ପ୍ରତିବାଦ କରିବାକୁ ବାଧ୍ୟ ହୁଅନ୍ତି। କେନ୍ଦ୍ରାପଡ଼ା ଜହ୍ନିମୂଳ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ମନମାନି ଓ ଦୁର୍ନୀତି ବିରୋଧରେ ଆଜି ସେଭଳି ଏକ ଅଭିନବ ଚିତ୍ର ଦେଖିବାକୁ ମିଳିଛି। ହାତରେ ଘଣ୍ଟ ବାଡ଼େଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦର ରଣହୁଙ୍କାର ଦେଇଛନ୍ତି ସାମାଜିକ କର୍ମୀ ବାପିନ୍ ମଲ୍ଲ ।ସୂଚନା ଅନୁସାରେ, ଜହ୍ନିମୂଳ ଗ୍ରାମବାସୀଙ୍କ ତରଫରୁ ସାମାଜିକ କର୍ମୀ ବାପିନ୍ ମଲ୍ଲ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏକ ଭିନ୍ନ ଢଙ୍ଗରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଆଜି ସେ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ ଏବଂ ସେଠାରେ ଘଣ୍ଟ ବାଡ଼େଇ ପ୍ରଶାସନର ନିଦ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ଦୀର୍ଘ ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଚାଲିଥିବା ବେଳେ ଏହି ବର୍ଷା ଦିନରେ ଚାଲିଥିବା କାମକୁ ସେ ତୀବ୍ର କଟାକ୍ଷ କରିଛନ୍ତି। ଡ୍ରେନେଜ୍-୨୦ ଉପରେ ଯେଉଁ ପୋଲ ତିଆରି ହେଉଛି ତାହା ସାଧାରଣ ବ୍ରିଜ୍ ନୁହେଁ, ବରଂ ପାହାଡ଼ ସଦୃଶ ଏକ ବନ୍ଧ ବା ଡ୍ୟାମ୍ ଭଳି ହୋଇଛି, ଯାହା ଫଳରେ ଜଳ ନିଷ୍କାସନ ବନ୍ଦ ହୋଇ ସେଠାରେ କୃତ୍ରିମ ଜଳଭଣ୍ଡାର ସୃଷ୍ଟି ହେଉଛି ।ବିଭାଗର ଏଭଳି ‘ଉନ୍ନତ ହାଇବ୍ରିଡ୍’ କାମ ଯୋଗୁଁ ଚାଷୀଙ୍କୁ ଆଉ ଧାନ ଚାଷ କରିବାକୁ ପଡ଼ିବ ନାହିଁ, ବରଂ ସେମାନେ ବିନା ପଇସାରେ ମାଛ ଚାଷ କରିବେ ବୋଲି ସେ ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି। ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣୁନଥିବାରୁ, ଶେଷରେ ଜିଲ୍ଲାର ‘ଭଗବାନ’ ସାଜିଥିବା ଜିଲ୍ଲାପାଳଙ୍କ ନିକଟରେ ସେମାନେ ସମ୍ପୂର୍ଣ୍ଣ ହାତ ଟେକି ଦେଇଛନ୍ତି । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଆସନ୍ତା ୨୬ ତାରିଖରେ ଡେରାବିଶ ବ୍ଲକ୍ ଗ୍ରୀଭାନ୍ସରେ ବିଭାଗୀୟ ଅଧିକାରୀଙ୍କୁ ଏହି ଭିନ୍ନ ଢଙ୍ଗରେ ‘ସମ୍ବର୍ଦ୍ଧନା’ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବାର ଏହି ଦୃଶ୍ୟ ହିଁ ସ୍ପଷ୍ଟ କରୁଛି ଯେ, ବ୍ୟବସ୍ଥା ଉପରୁ ଜନସାଧାରଣଙ୍କ ଭରସା କେମିତି ତୁଟିଯାଇଛି। ବିନା କୌଣସି ଯନ୍ତ୍ରୀଙ୍କ ତଦାରଖରେ କାମ ଚାଲୁଥିବାରୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଏହି ପ୍ରତିବାଦର ଘଣ୍ଟ ଶବ୍ଦ ଶୁଣି ଚେତୁଛି ନା ଆସନ୍ତା ୨୬ ତାରିଖରେ ବ୍ଲକ୍ ଗ୍ରୀଭାନ୍ସରେ ବିଭାଗୀୟ ବାବୁମାନେ ସେହି ଅଭିନବ ସମ୍ବର୍ଦ୍ଧନାର ଶିକାର ହେଉଛନ୍ତି ।
Sign in
Sign in
Recover your password.
A password will be e-mailed to you.