କାଚ ବୋତଲରେ ବାଣ ଫୁଟାଇବା ହେଲା କାଳ,କାଚ ଖଣ୍ଡ ପଶି ୧୪ ବର୍ଷୀୟ ନାବାଳକର ମୃତ୍ୟୁ

11

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଦୀପାବଳି ଉତ୍ସବରେ ବେପରୁଆ ଭାବରେ ବାଣ ଫୁଟାଇବା ଜଣେ ନାବାଳକଙ୍କ ପାଇଁ କାଳ ହୋଇଛି। କାଚ ବୋତଲ ଭିତରେ ଶକ୍ତିଶାଳୀ ବାଣ ଫୁଟାଇବା ବେଳେ ବୋତଲ ଫାଟି ଏହାର ଏକ ଧାରୁଆ କାଚ ଖଣ୍ଡ ଜଣେ ୧୪ ବର୍ଷୀୟ ନାବାଳକଙ୍କ ଜଙ୍ଘରେ ପଶିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ଚିନ୍ମୟ ସାହୁ।

ଘଟଣାଟି ଶନିବାର ଦୀପାବଳି ରାତି ପ୍ରାୟ ୯ଟା ସମୟରେ ରଘୁନାଥପାଲି ଥାନା ଅଧୀନ କୌଶଲ୍ୟା ବିହାର ଅଞ୍ଚଳରେ ଘଟିଛି। ଚିନ୍ମୟ ତାଙ୍କ ୧୨ ବର୍ଷୀୟ ଭଉଣୀଙ୍କ ସହ ଟିଉସନ ଯାଉଥିବା ବେଳେ ରାସ୍ତାରେ କିଛି ଯୁବକ କାଚ ବୋତଲ ଭିତରେ ବାଣ ଫୁଟାଉଥିଲେ ବୋଲି ଜଣାପଡ଼ିଛି।

ବାଣ ବିସ୍ଫୋରଣ ସମୟରେ କାଚ ବୋତଲ ଫାଟି ଏହାର ଖଣ୍ଡ ବିଭିନ୍ନ ଦିଗକୁ ଛିଟିକି ପଡ଼ିଥିଲା। ଏଥିରୁ ଏକ ଧାରୁଆ କାଚ ଖଣ୍ଡ ଚିନ୍ମୟଙ୍କ ଜଙ୍ଘରେ ପଶିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇ ପ୍ରବଳ ରକ୍ତସ୍ରାବର ଶିକାର ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ନେଇଥିଲେ। ତେବେ ଡାକ୍ତର ସେଠାରେ ଚିନ୍ମୟଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ରଘୁନାଥପାଲି ଥାନା ପୁଲିସ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବେପରୁଆ ଭାବରେ ବାଣ ଫୁଟାଇବା ଯୋଗୁଁ ଜଣେ ନିରୀହ ନାବାଳକଙ୍କ ଜୀବନ ଯିବା ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଅସନ୍ତୋଷ ପ୍ରକାଶ ପାଇଛି।

ଘଟଣାକୁ ନେଇ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଦୁଃଖ ପ୍ରକାଶ କରିବା ସହ ଲୋକମାନଙ୍କୁ ଦାୟିତ୍ୱବାନ ଓ ସତର୍କ ଭାବରେ ପର୍ବ ପାଳନ କରିବାକୁ ନିବେଦନ କରିଛନ୍ତି। ବାଣ ଫୁଟାଇବା ସମୟରେ ସମସ୍ତେ ସୁରକ୍ଷା ନିୟମ ଓ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।

ଦୀପାବଳିର ଖୁସିର ରାତି ଚିନ୍ମୟଙ୍କ ପରିବାର ପାଇଁ ଏବେ ଅପୂରଣୀୟ ଦୁଃଖର ରାତି ପାଲଟିଛି।

Leave A Reply

Your email address will not be published.