ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର

0

ବଡ଼ସାହି/ସାନକେରକ( ଦିଲ୍ଲୀପ ମହାନ୍ତି ) ବଡ଼ସାହି ଥାନା ତଥା ବ୍ଳକ ଅନ୍ତର୍ଗତ ସାନକେରକ ପଞ୍ଚାୟତର ଜଡିପାଳ ଗ୍ରାମରେ ଆଜି ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ୬ ବଖରା ଘର ପୋଡି ଧ୍ବଂସ ହୋଇଯାଇଛି। ଏଥିସହିତ ନିଆଁ ଲିଭାଇବାକୁ ଆସିଥିବା ଗ୍ରାମର ୪ ଜଣ ଗ୍ୟାସ ଟାଙ୍କି ଫାଟିବାରେ ଗୁରୁତର ହୋଇ ଏବେ ବାରିପଦା ପିଆର ଏମ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗ୍ରାମର ଅନାମ ବେହେରା, ଧରଣୀଧର ବେହେରା ଓ ଲବଙ୍ଗ ବେହେରାଙ୍କ ଘର ପୋଡିଯାଇଥିବା ବେଳେ ଏଥିରେ ସମସ୍ତ ଆସବାବପତ୍ର ସହ ଗଛିତ ଥିବା ଧାନ,ଚାଉଳ,ଦରକାରୀ କାଗଜପତ୍ର ପୋଡି ଛାରଖାର ହୋଇଯାଇଛି। ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ପ୍ରକାଶ। 

ଘର ଭିତରେ ଥିବା ଏକ ଗ୍ୟାସ ଟାଙ୍କିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଏଥିରେ ବିପନ୍ନ ଅନାମ ବେହେରା ସମେତ ଧନୁ ବେହେରା,ରମେଶ ସିଂ ଓ ବାଳକ ଚିନ୍ମୟ ବେହେରା କ୍ଷତାକ୍ତ ହୋଇପଡିଥିଲେ।ସେମାନଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ବାରିପଦା ପଠାଯାଇଛି। ଖବରପାଇ ବଡ଼ସାହି, ବାରିପଦା ଓ ଖୁଣ୍ଟା ଅଗ୍ନିଶମ ସେବା କେନ୍ଦ୍ରରୁ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା  ସହ ପକ୍କାଘର ଯୋଗାଇଦେବାକୁ ଏବଂ ଆହତମାନଙ୍କୁ ଡାକ୍ତରଖାନାରେ ମାଗଣା ସେବା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସାନକେରକ ସରପଞ୍ଚ ଶାନ୍ତନୁ ସିଂ ଓ ସମିତି ସଭ୍ୟ ସଞ୍ଜୀବ ଚୌଧୁରୀ ବିପନ୍ନ ମାନଙ୍କୁ ଚାଉଳ ଓ କମ୍ବଳ ପ୍ରଦାନ କରିଛନ୍ତି।

 

Leave A Reply

Your email address will not be published.