ମାତ୍ର ଦୁଇ ଦିନରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୯୭%ରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେଲା ଟାଟା ପାୱାର ନେତୃତ୍ୱାଧୀନ ଓଡିଶା ଡିସକମ୍

12

  • ୨୯,୦୦୦ ରୁ ଅଧିକ କର୍ମଚାରୀ ନିୟୋଜିତ; ପ୍ରଭାବିତ ୪୦.୯୧ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୩୯.୭୪ ଲକ୍ଷଙ୍କ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର
  • ଟିପିସିଓଡିଏଲ୍, ଟିପିଏନ୍‌ଓଡିଏଲ୍ ଏବଂ ଟିପିଡବ୍ଲୁଓଡିଏଲ୍ ରେ ୧୦୦% ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ, ଦକ୍ଷିଣ ଓଡ଼ିଶାରେ ଚୂଡ଼ାନ୍ତ ପର୍ଯ୍ୟାୟ କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ ଅକ୍ଟୋବର ୨୦୨୬: ଅକ୍ଟୋବର ୨୮ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବାର ମାତ୍ର ଦୁଇ ଦିନ ମଧ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପ୍ରଭାବିତ ହୋଇଥିବା ୪୦.୯୧ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୩୯.୭୪ ଲକ୍ଷ ଅର୍ଥାତ୍ ୯୭% ରୁ ଅଧିକ ଉପଭୋକ୍ତାଙ୍କ ବିଦ୍ୟୁତ ସେବା ପୁନରୁଦ୍ଧାର କରିଛନ୍ତି ।

ପବନର ବେଗ କମିବା ମାତ୍ରେ ଡିସକମ୍‌ଗୁଡ଼ିକର ଲାଇନମ୍ୟାନ ଏବଂ ଫିଲ୍ଡ କର୍ମଚାରୀମାନେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରବଳ ବର୍ଷା, ଜଳମଗ୍ନ ଜମି ଏବଂ ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ସଫା କରି ସେମାନେ ଭଙ୍ଗା ଖୁଣ୍ଟ ଏବଂ ଛିଣ୍ଡି ଯାଇଥିବା ତାର ବଦଳାଇଥିଲେ ତଥା ଫିଡର୍ ଏବଂ ସବ୍‌ଷ୍ଟେସନଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ କରିଥିଲେ, ଯାହା ମଧ୍ୟରୁ ଅନେକ ବନ୍ୟା ଯୋଗୁଁ ବିଚ୍ଛିନ୍ନ ହୋଇପଡ଼ିଥିବା ଅଞ୍ଚଳରେ ଥିଲା ।

ଏହି ବାତ୍ୟା ଯୋଗୁଁ ଘଣ୍ଟାପ୍ରତି ୧୫୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବା ସହ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା, ଯାହା ୧୭ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା ।

ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାରୁ ପୁନରୁଦ୍ଧାର କାର୍ଯ୍ୟ ବେଶ୍ ଦ୍ରୁତ ଗତିରେ ଆଗେଇ ପାରିଥିଲା । ବାତ୍ୟା ପୂର୍ବରୁ ଡିସକମ୍ ଗୁଡ଼ିକ ସେମାନଙ୍କର ବିଜନେସ୍ କଣ୍ଟିନ୍ୟୁଟି ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସକ୍ରିୟ କରିବା ସହିତ ୨୪ଘଣ୍ଟିଆ କଣ୍ଟେ୍ରାଲ୍ ରୁମ୍ ଖୋଲିଥିଲେ ଏବଂ ରାପିଡ୍-ରେସପନ୍ସ ଟିମ୍ ଗଠନ କରିଥିଲେ । ଭୁବନେଶ୍ୱର ଏବଂ ସମ୍ବଲପୁରରେ ଥିବା ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟରରୁ ଚବିଶ ଘଣ୍ଟା ନେଟୱାର୍କ ଉପରେ ନଜର ରଖାଯାଇଥିଲା ।

ସମଗ୍ର ରାଜ୍ୟରେ ୨୯,୦୦୦ ରୁ ଅଧିକ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଥିଲା । ଟିପିଏସ୍‌ଓଡିଏଲ୍ ୬,୪୭୪ ଜଣ କର୍ମଚାରୀଙ୍କୁ ସାମିଲ କରିବା ସହ ଅତିରିକ୍ତ ଟିମ୍‌କୁ ଷ୍ଟାଣ୍ଡବାଏ ରେ ରଖିଥିଲା । ସେହିପରି ଟିପିସିଓଡିଏଲ୍ ସେଣ୍ଟ୍ରାଲ ଓଡ଼ିଶାରେ ରାପିଡ୍-ରେସପନ୍ସ ଟିମ୍ ମୁତୟନ କରିଥିବା ବେଳେ ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାରେ ୮,୬୫୮ ଜଣ କର୍ମଚାରୀ ଏବଂ ଟିପିଏନ୍‌ଓଡିଏଲ୍ ଉତ୍ତର ଓଡ଼ିଶାରେ ନିଜର ଫିଲ୍ଡ ଟିମ୍ ପ୍ରସ୍ତୁତ ରଖିଥିଲା । ଡିସକମ୍ ଗୁଡ଼ିକ ପୂର୍ବରୁ ହିଁ ୨,୮୦୦ ରୁ ଅଧିକ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର, ୪୧,୦୦୦ ପୋଲ୍, ୮,୫୦୦ କିମି କଣ୍ଡକ୍ଟର, ୩୫ଟି ମୋବାଇଲ୍ ସବ୍‌ଷ୍ଟେସନ ଏବଂ ୧,୨୦୦ ଯାନ ପ୍ରସ୍ତୁତ ରଖିବା ସହିତ ନିଜ ନିଜ ଅଞ୍ଚଳର ଷ୍ଟୋରଗୁଡ଼ିକରେ ସାମଗ୍ରୀ ମହଜୁଦ ରଖିଥିଲେ । ବାତ୍ୟା ପୂର୍ବରୁ ଏବଂ ବାତ୍ୟା ଚାଲିଥିବା ସମୟରେ ଉପଭୋକ୍ତାମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସତର୍କତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।

ଟିପିସିଓଡିଏଲ୍, ଟିପିଏନ୍‌ଓଡିଏଲ୍ ଏବଂ ଟିପିଡବ୍ଲୁଓଡିଏଲ୍ ୧୦୦% ପୁନରୁଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି ଏବଂ ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇଛି ।

ଦକ୍ଷିଣ ଓଡ଼ିଶା, ଯେଉଁଠାରେ ବାତ୍ୟା ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥିଲା, ସେଠାରେ ଟିପିଏସ୍‌ଓଡିଏଲ୍ ଆଠଟି ଜିଲ୍ଲାର ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ୯୩% ରୁ ଅଧିକ ଅର୍ଥାତ୍ ୧୬.୭ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ କରିଛି । କ୍ଷେତ୍ର ସ୍ତରରେ ୬,୪୦୦ ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ ଅବଶିଷ୍ଟ ସଂଯୋଗଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲାରେ କର୍ମଚାରୀ ଦଳଗୁଡ଼ିକୁ ବିଶେଷ ଭାବେ ନିୟୋଜିତ କରାଯାଇଛି ।

ଏହି ଦ୍ରୁତ ପୁନରୁଦ୍ଧାର ଓଡ଼ିଶାର ବିତରଣ ନେଟୱାର୍କକୁ ପ୍ରତିକୂଳ ଜଳବାୟୁର ସାମ୍ନା କରିବା ପାଇଁ ଅଧିକ ସକ୍ଷମ କରିବା ଦିଗରେ ବର୍ଷ ବର୍ଷ ଧରି କରାଯାଇଥିବା କାର୍ଯ୍ୟକୁ ଦର୍ଶାଉଛି । ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଡିସକମ୍ ଗୁଡ଼ିକ ସବ୍‌ଷ୍ଟେସନ ଏବଂ ଟ୍ରାନ୍ସଫର୍ମର ସଂଖ୍ୟା ବୃଦ୍ଧି କରିଛନ୍ତି, ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟର ମାଧ୍ୟମରେ ରିଅଲ-ଟାଇମ୍ ନେଟୱାର୍କ ମନିଟରିଂ ବ୍ୟବସ୍ଥା ଗଠନ କରିଛନ୍ତି ଏବଂ ସ୍ଥାନୀୟ ଭେଣ୍ଡର ତଥା ଷ୍ଟୋରଗୁଡ଼ିକୁ ବିକଶିତ କରିଛନ୍ତି ଯାହାଦ୍ୱାରା ଅଳ୍ପ ସମୟର ସୂଚନାରେ ପୋଲ୍ ଏବଂ ଟ୍ରାନ୍ସଫର୍ମର ଯୋଗାଇ ଦିଆଯାଇପାରିବ । ପ୍ରତ୍ୟେକ ବାତ୍ୟା ଋତୁରେ, ଏହା କର୍ମଚାରୀମାନଙ୍କୁ ତ୍ରୁଟିଗୁଡ଼ିକୁ ଶୀଘ୍ର ଚିହ୍ନଟ କରି ଅଲଗା କରିବା ଏବଂ ଅଞ୍ଚଳ ଭିତ୍ତିରେ ବିଦ୍ୟୁତ ସେବା ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଥାଏ ।

ଏହି ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଟାଟା ପାୱାରର ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସ୍ ତଥା ଟିପିସିଓଡିଏଲ୍ ର ସିଇଓ ଗଜାନନ କାଲେ କହିଛନ୍ତି ଯେ, “ଆମେ ଦେଖିଥିବା ସବୁଠାରୁ କଠିନ ପରିସ୍ଥିତି ମଧ୍ୟରେ ଆମର ଲାଇନମ୍ୟାନ ଏବଂ ଫିଲ୍ଡ ଟିମ୍ ଘର, ଡାକ୍ତରଖାନା ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ବିଦ୍ୟୁତ ଫେରାଇ ଆଣିବା ପାଇଁ ଦିନରାତି କାମ କରିଛନ୍ତି । ସେମାନଙ୍କର ସହଯୋଗ ପାଇଁ ଆମେ ସେମାନଙ୍କୁ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛୁ, ତଥା ଧୈର୍ଯ୍ୟ ରଖିଥିବାରୁ ଆମର ଉପଭୋକ୍ତା ମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛୁ । ପ୍ରତ୍ୟେକ ପ୍ରଭାବିତ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ନମିଳିବା ପର୍ଯ୍ୟନ୍ତ ଆମ ଟିମ୍ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ରହିବେ ।”

ଡିସକମ୍ ଗୁଡ଼ିକ ସତର୍କ ଅବସ୍ଥାରେ ରହିଛନ୍ତି । ଉପଭୋକ୍ତାମାନଙ୍କୁ ଛିଣ୍ଡି ପଡ଼ିଥିବା ତାର ଏବଂ କ୍ଷତିଗ୍ରସ୍ତ ବିଦ୍ୟୁତ ଉପକରଣଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ବିଦ୍ୟୁତ ବିଭ୍ରାଟ କିମ୍ବା ବିପଦ ସମ୍ପର୍କରେ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ୧୯୧୨ ରେ ଜଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.