ବାନ୍ଦନା ପରବ ଭେଟଘାଟ: ନଭେମ୍ବର ୧୫ରେ ହେବ ଭବ୍ୟ ଆୟୋଜନ, ପ୍ରସ୍ତୁତିକୁ ନେଇ ସାଙ୍ଗଠନିକ ବୈଠକ

10

ସାରସକଣା : ନିଜର ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ସହ ଏହାର ପ୍ରଚାରପ୍ରସାର ଲକ୍ଷ୍ୟରେ କୁଡୁମୀ ସେନା ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ନବମ ବର୍ଷର ବାନ୍ଦନା ପରବ ଭେଟଘାଟ। ଆସନ୍ତା ନଭେମ୍ବର ୧୫ ତାରିଖରେ ଏହି ଭବ୍ୟ ସାଂସ୍କୃତିକ ଉତ୍ସବ ଆୟୋଜନ ପାଇଁ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ଚାଟରା ଧାନଘୋରୀସ୍ଥିତ କୁଡୁମୀ ଭବନଠାରେ ଆଜି କୁଡୁମୀ ସେନାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱନାଥ ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ କୁଡୁମୀ ସେନାର ରାଜ୍ୟ ପ୍ରତିଷ୍ଠାତା ତଥା ସଭାପତି ଜୈମୁନି କୁମାର ମହାନ୍ତ ଯୋଗଦେଇଥିଲେ। ଆଗାମୀ ବାନ୍ଦନା ପରବ ଭେଟଘାଟକୁ କିପରି ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ଜନସାଧାରଣଙ୍କ ମଧ୍ୟରେ ଅଧିକ ଆଦୃତ କରାଯାଇପାରିବ, ସେନେଇ ସେ ଉପସ୍ଥିତ ସଦସ୍ୟମାନଙ୍କୁ ଆହ୍ୱାନ ଦେବା ସହ ଉତ୍ସବର ସଫଳ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପରବରେ କୁଡୁମୀ ସମ୍ପ୍ରଦାୟର ନିଆରା ପାରମ୍ପରିକ ଲୋକକଳା, ଲୋକନୃତ୍ୟ ଓ ସାଂସ୍କୃତିକ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ଏଥିରେ ଗୋରୁଖୁଣ୍ଟା, ଧେଙ୍ଗୁଆନ ପ୍ରତିଯୋଗିତା, ଝୁମର ମେଲୋଡି, ବନ୍ଧୁମିଳନ ସମେତ ବିଭିନ୍ନ ପାରମ୍ପରିକ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଆଲୋଚନା ହୋଇଥିଲା। ଏଥିସହିତ କୁଡୁମୀ ସମ୍ପ୍ରଦାୟର ଜନବହୁଳ ବିଭିନ୍ନ ରାଜ୍ୟରୁ ବିଶିଷ୍ଟ ସାମାଜିକ ଓ ସାଙ୍ଗଠନିକ ନେତୃତ୍ୱଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ସିଦ୍ଧାନ୍ତ ନିଆଯାଇଥିଲା।

ଏହି ବୈଠକରେ କୁଡୁମୀ ସେନାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତଙ୍କ ସମେତ କୁବେର ମହାନ୍ତ, ସଞ୍ଜୟ ମହାନ୍ତ, ଶୀତେଶ ମହାନ୍ତ, କାହ୍ନୁଚରଣ ମହାନ୍ତ ଓ ଅଶୋକ ମହାନ୍ତ ଉପସ୍ଥିତ ଥିଲେ। ସେହିପରି କୁଡୁମୀ ଛାତ୍ର ସେନା ପକ୍ଷରୁ ଅଜିତ ମହାନ୍ତ, ଭବାନୀ ମହାନ୍ତ ଓ ରାହୁଲ ମହାନ୍ତ ଏବଂ କୁଡୁମୀ ମହିଳା ସେନା ପକ୍ଷରୁ ଗୀତାଞ୍ଜଳି ମହାନ୍ତ, ଅହଲ୍ୟା ମହାନ୍ତ, କଳ୍ପନା ମହାନ୍ତ, ସ୍ୱପ୍ନାପ୍ରିୟା ମହାନ୍ତ ଓ ରୀତା ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।

କୁଡୁମୀ ସମ୍ପ୍ରଦାୟର ଗୌରବମୟ ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ନୂତନ ପିଢ଼ି ନିକଟରେ ଏହାର ମହତ୍ତ୍ୱ ପହଞ୍ଚାଇବା, ସାମାଜିକ ଏକତା, ସଂହତି ଓ ଭାଇଚାରାକୁ ଅଧିକ ସୁଦୃଢ଼ କରିବା ଏହି ବାନ୍ଦନା ପରବ ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏହି ଉତ୍ସବ ମାଧ୍ୟମରେ କୁଡୁମୀ ସମ୍ପ୍ରଦାୟର ସାଂସ୍କୃତିକ ଏକତା ଓ ପରମ୍ପରାର ମହକ ଦୂରଦୂରାନ୍ତରେ ପହଞ୍ଚିବ ବୋଲି ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.