
ଓଡ଼ଗାଁ, ୫।୬(ଶ୍ରୀକାନ୍ତ କୁମାର ମିଶ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସହରାଞ୍ଚଳର ପଥପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ପରିବେଶ ସୁରକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଜେ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ଅଂଶଗ୍ରହଣକାରୀ ମାନେ ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଓଡ଼ଗାଁ ଥାନା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ପରେ ଥାନା ସମ୍ମୁଖ ରାସ୍ତାପାର୍ଶ୍ୱରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କୁଣ୍ଡଗୁଡ଼ିକରେ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଆଇଆଇସି ସତ୍ୟନାରାୟଣ ବାରିକ, ଏଏସ୍ଆଇ ଚକ୍ରଧର ସିଂହ ଓ ବନପାଳ ସରିତା ବରାଳ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
ଏଥିସହ ଏନ୍ଏସିର ଇଞ୍ଜିନିୟର ସତ୍ୟନାରାୟଣ ସାହୁ, ଏମ୍. ଶୁଭମ୍, ବରଦା ପ୍ରସନ୍ନ ଦାସ, ସୂର୍ଯ୍ୟ ପଟ୍ଟନାୟକ, ଶାନ୍ତନୁ ବିଶୋଇ, ଅଚ୍ୟୁତ ପଣ୍ଡା, ବରେନ୍ଦ୍ର ନନ୍ଦ ଓ ସୁଶାନ୍ତ ସାହୁଙ୍କ ସମେତ ବହୁ କର୍ମଚାରୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ଗାଁକୁ ‘ସବୁଜ ସହର, ସୁନ୍ଦର ଓଡ଼ଗାଁ’ରେ ପରିଣତ କରିବା ପାଇଁ ଏନ୍ଏସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ବର୍ଷା ଋତୁରେ ବ୍ୟାପକ ଭାବେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସହରର ସବୁଜିମା ବୃଦ୍ଧି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.