ଓଡ଼ଗାଁ, ୫୬(ଶ୍ରୀକାନ୍ତ କୁମାର ମିଶ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନୟାଗଡ଼ ଜିଲ୍ଲାର ଦୁଇଟି ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଛନ୍ତି। ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ‘ପ୍ରକୃତିମିତ୍ର’ ପୁରସ୍କାର ଲାଭ କରିଥିବାବେଳେ, ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, କୋମଣ୍ଡର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ‘ପ୍ରକୃତିବନ୍ଧୁ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ବନଖଣ୍ଡ ବିଶ୍ରାମାଗାର ସଭାକକ୍ଷରେ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ‘ପ୍ରକୃତିମିତ୍ର’ ପୁରସ୍କାର ପାଇଁ କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶ ସାର୍ଟିଫିକେଟ ସହ ୨୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଥିଲେ। ସେହିପରି ‘ପ୍ରକୃତିବନ୍ଧୁ’ ପୁରସ୍କାର ପାଇଁ କୋମଣ୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ସାର୍ଟିଫିକେଟ ସହ ୧୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଥିଲେ। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ମନୋନୀତ ହୋଇଥିବା ନୟାଗଡ଼ ଜିଲ୍ଲାର ୫ଟି ଅନୁଷ୍ଠାନକୁ ‘ପ୍ରକୃତିମିତ୍ର’ ଏବଂ ୪ ଜଣ ବ୍ୟକ୍ତିଙ୍କୁ ‘ପ୍ରକୃତିବନ୍ଧୁ’ ପୁରସ୍କାର ପ୍ରଦାନ କରାଯାଇଥିଲା।
ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ଉଭୟ ବିଦ୍ୟାଳୟ ଓ ଶିକ୍ଷକଙ୍କ ଉଲ୍ଲେଖନୀୟ ଉଦ୍ୟମ ପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
Sign in
Sign in
Recover your password.
A password will be e-mailed to you.