ଓଡ଼ଗାଁ, ୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ଘଟିଥିବା ନବବଧୂ ଶୁଭଶ୍ରୀ ମହାପାତ୍ର (୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ସ୍ୱାମୀ ଦୀପକ କୁମାର ମହାପାତ୍ରଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୀପକ ନିଜ ସ୍ତ୍ରୀଙ୍କ ସହ ତାଙ୍କ ବାପା ଓ ଭାଇଙ୍କର ଅନୈତିକ ସମ୍ପର୍କ ଥିବା ନେଇ ସନ୍ଦେହ କରୁଥିଲେ। ଏହି ସନ୍ଦେହକୁ ନେଇ ଦମ୍ପତିଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିବା ବେଳେ ଘଟଣାର ପୂର୍ବଦିନ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା।
ମାତ୍ର ୨ ମାସ ୨୫ ଦିନ ପୂର୍ବରୁ ବିବାହ ହୋଇଥିବା ଏହି ଦମ୍ପତିଙ୍କ ସମ୍ପର୍କରେ ଏପରି ଦୁଃଖଦ ପରିଣତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଘରେ ସିସିଟିଭି ଲଗାଯାଇଥିଲେ ମଧ୍ୟ ସନ୍ଦେହକୁ ସମର୍ଥନ କରିବା ଭଳି କୌଣସି ପ୍ରମାଣ ମିଳିନଥିଲା।
ଘଟଣା ଦିନ ସକାଳେ ଦୀପକ ତାଙ୍କ ସ୍ତ୍ରୀ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦାବି କରିଥିଲେ। ତେବେ ମୃତଦେହର ଅବସ୍ଥା ଏବଂ ଘଟଣାସ୍ଥଳର ପରିସ୍ଥିତିକୁ ଆଧାର କରି ପୋଲିସ ସନ୍ଦେହ କରୁଛି ଯେ, ଶୁଭଶ୍ରୀଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନରେ ଝୁଲାଇ ଦିଆଯାଇଥିଲା। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
Sign in
Sign in
Recover your password.
A password will be e-mailed to you.