ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ୯ମ ସନ୍ଧ୍ୟା ଯୁଦ୍ଧଯାତ୍ରା ଅବସରରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ

0 2

ଓଡ଼ଗାଁ, ୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ନବମ ସନ୍ଧ୍ୟା ଯୁଦ୍ଧଯାତ୍ରା ବେଶ ପରିପ୍ରେକ୍ଷୀରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ପ୍ରଭୁଙ୍କ ଯୁଦ୍ଧଯାତ୍ରା ଦୃଶ୍ୟ ଓ ରାବଣ ପୋଡ଼ି ଉତ୍ସବ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଯୁଦ୍ଧଯାତ୍ରା ଦୃଶ୍ୟରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ, ମାତା ସୀତାଙ୍କ ଉଦ୍ଧାର ପାଇଁ ହନୁମାନ ଓ ଅଙ୍ଗଦଙ୍କ ସ୍କନ୍ଧରେ ବସି ଲଙ୍କା ଅଭିଯାନରେ ବାହାରିବା ଚିତ୍ରଣ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ବାନର ସେନା ସହ ଅଷ୍ଟ ସେନାଧ୍ୟକ୍ଷଙ୍କ ସଜ୍ଜିତ ଯୁଦ୍ଧ ରୁପ ମଧ୍ୟ ଆକର୍ଷଣୀୟ ଥିଲା। ପରେ ରାବଣ ବଧ, ସୀତାଙ୍କ ଉଦ୍ଧାର ଓ ବିଭୀଷଣଙ୍କ ରାଜ୍ୟାଭିଷେକ ଦୃଶ୍ୟ ଭକ୍ତମାନଙ୍କୁ ମୋହିତ କରିଥିଲା। ଅନ୍ୟପକ୍ଷରେ ଓଡ଼ଗାଁ ରାବଣ ପୋଡ଼ି କମିଟି ପକ୍ଷରୁ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ୨୬ତମ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଥିଲା। ପାଇକସାହି ରାମଲିଳା କମିଟି ଦ୍ୱାରା ସ୍ବତନ୍ତ୍ର ଭାବେ ସଜ୍ଜିତ ହୋଇଥିବା ରାମ, ଲକ୍ଷଣ, ହନୁମାନ ଓ ରାବଣଙ୍କୁ ନେଇ ରାବଣ ବଦ୍ଧ ନାଟକ ପରିବେଷଣ ପରେ ପ୍ରାୟ ୩୦ ଫୁଟ ଉଚ୍ଚ ବିଶିଷ୍ଟ ରାବଣ ପ୍ରତିମୂର୍ତ୍ତିରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ. ଦେବାଶିଷ ପଟ୍ଟନାୟକ ଅଗ୍ନି ସଂଯୋଗ କରିବା ପରେ ରାମବାଣରେ ରାବଣର ପ୍ରତିକୃତି ଜଳି ଉଠିଥିଲା ‌ଏବଂ କେତେକ ଆତସବାଜିର ଝଲକ ଦେଖି ଦର୍ଶକମାନେ ଘରକୁ ଫେରିଥିଲେ । ଏହା ଥିଲା ପାପ ଉପରେ ପୁଣ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ବାର୍ତ୍ତା । କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଜିଲ୍ଲାପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲି ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଏନ୍ଏସି ଅଧିକାରୀ ନିହାର ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ରାବଣପୋଡ଼ି ଉତ୍ସବରେ ବହୁସଂଖ୍ୟକ ଦର୍ଶକ ଯୋଗଦେଇ ଉତ୍ସାହର ସହ ଉପଭୋଗ କରିଥିଲେ।

Leave A Reply

Your email address will not be published.