ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା,

0 2

ପ୍ରଭୁଙ୍କ ଯୁଦ୍ଧ ଯାତ୍ରା ଦୃଶ୍ୟ ଓ ରାବଣ ପୋଡ଼ି ଉତ୍ସବର ମଜା ଉଠାଇଲେ ଶ୍ରଦ୍ଧାଳୁ

ଓଡ଼ଗାଁ, ୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟା ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରଭୁଙ୍କ ଯୁଦ୍ଧଯାତ୍ରା ଦୃଶ୍ୟ ଓ ରାବଣ ପୋଡ଼ି ଉତ୍ସବ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ଦେଖାଯାଇଥିଲା।
ଯୁଦ୍ଧଯାତ୍ରା ଦୃଶ୍ୟରେ ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ମାତା ସୀତାଙ୍କ ଉଦ୍ଧାର ପାଇଁ ଭକ୍ତରାଜ ହନୁମାନ ଓ ଯୁବରାଜ ଅଙ୍ଗଦଙ୍କ ସ୍କନ୍ଧରେ ବସି ଲଙ୍କା ଅଭିଯାନରେ ବାହାରିଥିବା ଚିତ୍ରଣ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଅଷ୍ଟ ସେନାଧ୍ୟକ୍ଷ ଅସ୍ତ୍ର-ଶସ୍ତ୍ରରେ ସଜିତ ହୋଇ ବାନର ସେନାଙ୍କ ସହ ଯୁଦ୍ଧ ଯାତ୍ରାରେ ସାମିଲ ହୋଇଥିଲେ। ପରେ ରାବଣ ବଧ ଓ ମାତା ସୀତାଙ୍କ ଉଦ୍ଧାର ସହିତ ବିଭୀଷଣଙ୍କୁ ଲଙ୍କାର ରାଜା ଭାବେ ଅଭିଷେକ କରାଯାଇଥିବା ଦୃଶ୍ୟ ଦର୍ଶକମାନଙ୍କୁ ମୋହିତ କରିଥିଲା। ଆକାଶରେ ଦେବତା ଓ ଋଷିମୁନିଙ୍କ ଆନନ୍ଦ ଓ ପ୍ରଭୁ ଶ୍ରୀରାମଙ୍କ ଧୈର୍ଯ୍ୟର ପ୍ରଶଂସାର ଚିତ୍ରଣ ମଧ୍ୟ ଉପସ୍ଥାପିତ ହୋଇଥିଲା।
ଅନ୍ୟପକ୍ଷରେ, ଓଡ଼ଗାଁ ରାବଣ ପୋଡ଼ି କମିଟି ଆନୁକୂଳ୍ୟରେ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ୨୪ତମ ରାବଣ ପୋଡ଼ି ଉତ୍ସବ ଆୟୋଜିତ ହୋଇଥିଲା। ପ୍ରାୟ ୩୦ ଫୁଟ ଉଚ୍ଚ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ସହ ଆତସବାଜିର ଝଲକ ଦେଖିବାକୁ ମିଳିଥିଲା। ପ୍ରତିମୂର୍ତ୍ତି ଧ୍ୱଂସ ସହ ପାପ ଉପରେ ପୁଣ୍ୟ, ଅଧର୍ମ ଉପରେ ଧର୍ମ ଓ ଅଜ୍ଞାନ ଉପରେ ଜ୍ଞାନର ବିଜୟ ସନ୍ଦେଶ ପ୍ରଚାରିତ ହୋଇଥିଲା। ଏହି ଉତ୍ସବରେ ବିଶାଳ ସଂଖ୍ୟାରେ ଦର୍ଶକ ଯୋଗଦେଇ ଉତ୍ସାହର ସହ ଉପଭୋଗ କରିଥିଲେ। 

Leave A Reply

Your email address will not be published.