ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ଅପରାହ୍ନ” ଖବରକାଗଜ ଓ ସିଦ୍ଧାନ୍ତ ସାହିତ୍ୟ ପରିବାର ପକ୍ଷରୁ ମିଳିତ ଭାବେ ଆଜି (ରବିବାର) ସନ୍ଧ୍ୟାରେ ସାହିତ୍ୟ ଆଲୋଚନା , କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ପାରଳାର ଶତାୟୁ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ଭାବେ “ଅପରାହ୍ନ” ଖବରକାଗଜର ସମ୍ପାଦକ ଶ୍ରୀ ବଂଶୀଧର ଜେନା , ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଓ ଅପରାହ୍ନର ପ୍ରକାଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ , ମୁଖ୍ୟବକ୍ତା ଭାବେ ସ୍ଥାନୀୟ ମହାରାଜା ବାଳକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶିନୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ଜିଲ୍ଲା ସଂଯୋଜିକା ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ଉପାନ୍ତ ପ୍ରହରୀ ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ଅସ୍ମିତାକୁ ନେଇ ବାଦ ବିବାଦ ଲାଗିରହିଥିବା ଏବଂ ପ୍ରକୃତରେ ଗୋଟିଏ ଅଞ୍ଚଳ ବା ରାଜ୍ୟର ସାମଗ୍ରିକ ବିକାଶ ହେଉଛି ପ୍ରକୃତ ଅସ୍ମିତା ବୋଲି ଦର୍ଶାଇ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ନିଜ ବକ୍ତବ୍ୟରେ ଓଡ଼ିଆ ପକ୍ଷରେ ଏହି ପରି ଏକ ସାରସ୍ୱତ କାର୍ଯ୍ୟକ୍ରମ କରିଥିବାରୁ ସେ ଅପରାହ୍ନ ଖବରକାଗଜର ଭୂୟସୀ ପ୍ରଶଂସା କରିଥିଲେ।
ମୁଖ୍ୟବକ୍ତା ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ପାଇଁ ସଚେତନ କରିଥିଲେ। ଯେଉଁ ମାଟିର ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଭାଷା ଭିତ୍ତିକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଥିଲେ ସେହି ସ୍ଥାନରେ ଆଜି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ନିୟମିତ ଲଢ଼େଇ କରିବାକୁ ପଡୁଛି ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଅପରାହ୍ନର ସମ୍ପାଦକ ଶ୍ରୀ ବଂଶୀଧର ଜେନା ସମସ୍ତେ ସାହିତ୍ୟ ମନସ୍ଥ ହୋଇ ସମାଜକୁ ସୁଧାରିବା ପାଇଁ ପ୍ରୟାସ କରିବାକୁ ନିବେଦନ କରିଥିଲେ। ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆର ସତ୍ତ୍ବାଧିକାରୀ ତଥା ଅପରାହ୍ନର ପ୍ରକାଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ବାଲେଶ୍ୱର ଠାରେ ଆସନ୍ତା ମେ ମାସ ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କବିତାକୁମ୍ଭରେ ଗଜପତିରୁ ବହୁ ସଂଖ୍ୟାରେ କବିମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।
ଏହି ଅବସରରେ ଦୁଇଜଣ ପ୍ରତିଷ୍ଠିତ କବି ଶ୍ରୀ ଶଶିଭୂଷଣ ପଟ୍ଟନାୟକ ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଅପରାହ୍ନର ଜିଲ୍ଲା ପ୍ରତିନିଧି ଶ୍ରୀ ରାଜେନ୍ଦ୍ର କୁମାର ରଥ ଅତିଥି ବୃନ୍ଦଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ବାଦ୍ୟଯନ୍ତ୍ର ସହଯୋଗରେ ଅଧ୍ୟାପକ ଶ୍ରୀ ଦୀପ୍ତି ରଞ୍ଜନ ପଟ୍ଟନାୟକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସୁଶ୍ରୀ ଶ୍ୱେତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଶ୍ରୀ ସ୍ନେହା ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ବହୁ ପ୍ରତିଷ୍ଠିତ ଓ ଯୁବ କବିମାନେ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। କବିତା ପାଠୋତ୍ସବ କାର୍ଯ୍ୟକ୍ରମକୁ ଯୁବ କବି ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଅତି ସୁନ୍ଦର
ଭାବରେ ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ବବିତା ପୁରୋହିତ ସମସ୍ତ ଅତିଥିବୃନ୍ଦ, ଉପସ୍ଥିତ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.