ଦେଢ଼ ଘଣ୍ଟା ଧରି ଗମନାଗମନ ବାଧାପ୍ରାପ୍ତ; ଗଛ ପଡ଼ି ଦୋକାନ ଘର ଭାଙ୍ଗିଲା
ଓଡ଼ଗାଁ, ୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର କୋମଣ୍ଡ ଠାରୁ ରୋହିବାଙ୍କ,ରୋହିବାଙ୍କ ଠାରୁ ବାଘୁଆଛକ, ଏବଂ ବାଘୁଆଛକ ଠାରୁ ସମ୍ଭବ ମଧ୍ୟରେ ଗଛ ପଡ଼ି ରାସ୍ତା ଅବରୋଧ ହେବାରୁ ଦେଢ଼ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୋମଣ୍ଡ ଠାରୁ ରୋହିବାଙ୍କ ମଧ୍ୟରେ ପଡ଼ି ଥିବା ଆମ୍ବଗଛକୁ ରାସ୍ତାରୁ ହଟାଇଥିବା ବେଳେ ସମ୍ଭବ ଠାରେ ପଡ଼ିଥିବା ଡ଼ାଳକୁ ହଟାଇ ଥିଲେ। ଏବଂ ଆଉ ଗୋଟିଏ ସ୍ଥାନରୁ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜେସିବି ମାଧ୍ୟମରେ ରାସ୍ତାରେ ପଡ଼ିଥିବା ଡାଳ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ରାସ୍ତାରୁ ଅବରୋଧ ହଟି ଗମନାଗମନ ସ୍ବଭାବିକ ହୋଇଥିଲା। ଅପରପକ୍ଷରେ ସେଠାରୁ କିଛି ଦୂରରେ ରାଜପଥ ପାର୍ଶ୍ୱରେ ଥିବା ଏକ ଦୋକାନରେ ଚାମୁଣ୍ଡା ଗଛର ଡାଳ ଭାଙ୍ଗି ପଡ଼ିବାରୁ ଦୋକାନର ଆଜବେଷ୍ଟସ ଭାଙ୍ଗି ଚେପା ହୋଇଯାଇଥିଲା। ସେଠାରେ ଥିବା ଲୋକମାନେ ଅଳ୍ପକେ ରକ୍ଷା ପାଇ ଗଲେ
ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ କାଳବୈଶାଖୀ ବର୍ଷା ପ୍ରଭାବରେ ଶନିବାର ଅପରାହ୍ନରେ ୨୧ ନମ୍ବର ରାଜ୍ୟ ରାଜପଥରେ ଗଛ ଡାଳ ପଡ଼ିବାରୁ ପ୍ରାୟ ୪୦ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଅପରାହ୍ନ ପ୍ରାୟ ୫ଟାରୁ ଏକଘଣ୍ଟାଧରି ଲଗାତାର ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ଲାଗିରହିଥିଲା । ଏହାର ପ୍ରଭାବରେ ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ରୋହିବାଙ୍କ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ବଡ଼ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ଫଳରେ ବହୁ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ ଡାଳକୁ କାଟିବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା। ତେବେ କିଛି ସମୟ ବିରତି ପରେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁନର୍ବାର ବର୍ଷା ପବନ ଆରମ୍ଭ ହୋଇଥିବାରୁ ଶ୍ରୀରାମ ନବମୀ ଯାତ୍ରା ଉପରେ ଏହାର ପ୍ରଭାବ ପଡ଼ିଛି । ଶୁକ୍ରବାର ସନ୍ଧ୍ୟାରେ ବର୍ଷା ହେବା ପରେ ଶ୍ରଦ୍ଧାଳୁମାନେ ବିଳମ୍ବରେ ଯାତ୍ରାସ୍ଥଳରେ ପହଞ୍ଚିଥିଲେ। ତେବେ ଶନିବାର ପୁଣିଥରେ ଅଧିକ ପରିମାଣରେ ବର୍ଷା ଓ ପବନ ଲାଗି ରହିବା କାରଣରୁ ମନ୍ଦିର ଦର୍ଶନ ଓ ଯାତ୍ରା ଦେଖିବା ପାଇଁ ଜନସାଧାରଣ ଘରୁ ବାହାରି ନଥିଲେ ।
ଫଳରେ ଦୂରଦୂରାନ୍ତରୁ ଆସିଥିବା ଉଠା ବ୍ୟବସାୟୀ ଓ ଦୋକାନୀମାନଙ୍କ ଅନେକ ଜିନିଷ କ୍ଷତି ହୋଇଥିବା ବେଳେ ରୋଜଗାରରେ ବ୍ୟାଘାତ ହୋଇଥିବା ଜଣାପଡ଼ିଛି।