ଶ୍ରୀରାମ ନବମୀ ୮ମ ସନ୍ଧ୍ୟା; ସୀତାଙ୍କୁ ଉଦ୍ଧାର ପାଇଁ ଅଷ୍ଟାବଧାନଙ୍କ ସହ ବିଚାରବିମର୍ଶର ଦୃଶ୍ୟ ଦର୍ଶନ

0 2

ଓଡଗାଁ, ୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟା ଭକ୍ତିମୟ ପରିବେଶ ମଧ୍ୟରେ ଅତ୍ୟନ୍ତ ଆକର୍ଷଣୀୟ ଭାବେ ପାଳିତ ହୋଇଥିଲା। ଏହି ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ‘ଅଷ୍ଟାବଧାନ’ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ଆଜିର ଲୀଳା ଅବସରରେ ସୀତାଙ୍କୁ ଉଦ୍ଧାର ପାଇଁ ଶ୍ରୀରାମଙ୍କ ବିଚାର ବିମର୍ଶ ଓ ଯୋଜନା ପ୍ରସ୍ତୁତିର ଚିତ୍ରଣ ଦେଖିବାକୁ ମିଳିଥିଲା। ସୀତାଙ୍କ ଅନୁରୋଧରେ ପ୍ରଭୁ ଶ୍ରୀରାମ ମାୟାମୃଗ ପଛରେ ଦୂରକୁ ଯାଇଥିବା ବେଳେ, ମାରିଚ ଛଦ୍ମବେଶରେ ଆହତ ହୋଇ ‘ତ୍ରାହି ଲକ୍ଷ୍ମଣ’ ବୋଲି ଡାକ ଦେଇଥିଲା। ଏହା ଶୁଣି ସୀତା ଲକ୍ଷ୍ମଣଙ୍କୁ ଶ୍ରୀରାମଙ୍କ ସହାୟତା ପାଇଁ ପଠାଇଥିଲେ। ଲକ୍ଷ୍ମଣ ବହୁ ବାରଣ ସତ୍ୱେ ସୀତାଙ୍କ ଆଦେଶରେ ରେଖା ଟାଣି ସେଠାରୁ ପ୍ରସ୍ଥାନ କରିଥିଲେ। ଏହି ସୁଯୋଗରେ ଲଙ୍କାପତି ରାବଣ ଛଦ୍ମବେଶରେ ଆସି ଛଳନାରେ ସୀତାଙ୍କୁ ପୁଷ୍ପକ ବିମାନରେ ଅପହରଣ କରି ଲଙ୍କାକୁ ନେଇଯାଇଥିଲା। ପରେ ଶ୍ରୀରାମ ଓ ଲକ୍ଷ୍ମଣ ବନଭୁମିରେ ସୀତାଙ୍କୁ ଖୋଜାଖୋଜି କରୁଥିବା ସମୟରେ ଆହତ ଜଟାୟୁଙ୍କ ଠାରୁ ଏହି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ।
ସୀତାଙ୍କ ମୁକ୍ତି ପାଇଁ ଶ୍ରୀରାମ ଭକ୍ତ ହନୁମାନଙ୍କ ସହଯୋଗରେ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରି ବାଳୀଙ୍କୁ ବଧ କରି ସୁଗ୍ରୀବଙ୍କୁ କିଷ୍କିନ୍ଧାର ରାଜସିଂହାସନରେ ଅଭିଷିକ୍ତ କରିଥିଲେ। ପରେ ହନୁମାନ ସାଗର ଲଙ୍ଘି ସୀତାଙ୍କୁ ଠାବ କରିବା ପରେ, ଶ୍ରୀରାମ ଲକ୍ଷ୍ମଣ, ସୁଗ୍ରୀବ, ହନୁମାନ, ଜାମ୍ବବାନ, ଅଙ୍ଗଦ, ବିଭୀଷଣ, ନଳ, ନୀଳ ଓ ସୁଶେଣଙ୍କ ସହ ଅଷ୍ଟସେନାଙ୍କୁ ନେଇ ଲଙ୍କା ଆକ୍ରମଣ ପାଇଁ ଯୋଜନା କରୁଥିବା ଦୃଶ୍ୟରେ ଆଜି ପ୍ରଭୁ ଦର୍ଶନ ଦେଇଥିଲେ। ଆଜିର ଦୃଶ୍ୟ ଦର୍ଶନରେ ଦର୍ଶକ ମାନଙ୍କ ଭାବ ବିଭୋର ପରିବେଶକୁ ଆହୁରି ଗାଢ଼ ଓ ଭକ୍ତିମୟ
କରିଥିଲା। ଆସନ୍ତା କାଲି ରବିବାର ସନ୍ଧ୍ୟାରେ ଶ୍ରୀଜିଉଙ୍କ ଯୁଦ୍ଧଯାତ୍ରା ବେଶ ସହ ସହ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଠାରୁ ସୂଚନା ମିଳିଛି।

Leave A Reply

Your email address will not be published.