ଗଞ୍ଜେଇ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ।

0 2

ପଦ୍ମପୁର – ଜଗଦଲପୁର ପୁଲିସ ପକ୍ଷରୁ ମାଦକଦ୍ରବ୍ୟ ବିରୋଧରେ ଚାଲିଥିବା ଅଭିଯାନରେ ଏକ ବଡ ସଫଳତା ମିଳିଛି। ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଦୁଇ ଜଣ ଯୁବକଙ୍କୁ ଧରିବା ସହ ତାଙ୍କ ପାଖରୁ ୧୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜଗଦଲପୁର ଥାନା ସରେଇକେଲା ନିକଟସ୍ଥ ଗୁମ୍ଫା ଡୁଙ୍ଗୁରି ଠାରେ ପୁଲିସ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକ ସନ୍ଦେହଜନକ ଭାବରେ ଥିବା ଦେଖି ପୁଲିସ ତାଙ୍କୁ ଅଟକ କରିଥିଲା । ପରେ ତଦନ୍ତ କରିବାରୁ ତାଙ୍କ ପାଖରୁ ଗଞ୍ଜେଇ ମିଳିଥିଲା । ଗିରଫ ହୋଇଥିବା ଯୁବକମାନେ ହେଲେ ବରଗଡ଼ ଜିଲ୍ଲା ମେଲଛମୁଣ୍ଡା ଥାନା ଅଞ୍ଚଳର ଅମ୍ବାମୁଣ୍ଡା ଗ୍ରାମର ଅନିଲ ଠେଲା ଓ ରାଜେନ୍ଦ୍ର ପୁଟେଲ ଓରଫ ରାଜନ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ଏହି ଗଞ୍ଜେଇକୁ ଛତିଶଗଡ଼କୁ ନେଇ ବିକ୍ରି କରିବାକୁ ଯୋଜନା କରୁଥିଲେ । ପୁଲିସ ତାଙ୍କ ପାଖରୁ ଦୁଇଟି ମୋଟରସାଇକେଲ୍ ମଧ୍ୟ ଜବତ କରିଛି। ଏହି ମୋଟରସାଇକେଲ୍ ଗୁଡିକ ହେଲା ଲାଲ ରଙ୍ଗର ହିରୋ ସୁପର ସ୍ପେଣ୍ଡର (OD-17-AG-6654) ଓ କଳା ରଙ୍ଗର ହିରୋ ପ୍ୟାସନ୍ (OD-17-Z-9775) | ଏହା ସହିତ ଦୁଇଟି ରେଡମି ମୋବାଇଲ୍ ଫୋନ୍ ମଧ୍ଯ ଜବତ କରାଯାଇଛି । ପୁଲିସ କହିଛି ଯେ, ସମସ୍ତ ସାମଗ୍ରୀସାକ୍ଷୀମାନଙ୍କ ସମ୍ମୁଖରେ ଜବତ କରାଯାଇଛି । ଏହି ଅଭିଯାନ ଜଗଦଲପୁର ଥାନାର ଆଇଆଇସି ଦୀପ୍ତି ରଞ୍ଜନ ଦି ନିର୍ଦ୍ଦେଶରେ ଓ ପଦ୍ମପୁର ଥାନାର ଏସଆଇ ଅନ୍ତର୍ଯାମୀ ବେହେରାଙ୍କ ଉପସ୍ଥିତିରେ କରାଯାଇଥିଲା । ଜଗଦଲପୁର ଥାନାରେ ଏନଡିପିଏସ ଆଇନ ଅନୁସାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.