ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ପ୍ରଚାରକ ଇଂ ଲଡୁକିଶୋର, ବୟସାଧିକ୍ୟରେ ଜାରି ରଖିଛନ୍ତି ପ୍ରଚାର କାର୍ଯ୍ୟ

0 2

ଓଡ଼ଗାଁ, ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରସିଦ୍ଧ ଶ୍ରୀ ରଘୁନାଥଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ପାରମ୍ପାରିକ ଲୋକକଳାରେ ରଙ୍ଗିନ ହୋଇଯାଇଥିଲା। ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ନିଷ୍ଠାବାନ ପ୍ରଚାରକ ଇଂ ଲଡୁ କିଶୋର ପଢ଼ିଆରୀ, ତାଙ୍କ ସ୍ତ୍ରୀ ଜୟନ୍ତୀ ପଢ଼ିଆରୀ ଓ ସାଥୀ କଳାକାରମାନଙ୍କର ଆକର୍ଷଣୀୟ ପ୍ରଦର୍ଶନୀ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଏହି ଅବସରରେ ଘଟ କଳସୀ, ଦାସକାଠି, ଘୁଡୁକୀ, ବୀଣାକାର, ମହିଷାମର୍ଦିନୀ, ଆରତୀ ଓ ମେରେକେଖା ପରି ବିଭିନ୍ନ ଲୋକନୃତ୍ୟର ସୁନ୍ଦର ପ୍ରସ୍ତୁତି ଦେଖିବାକୁ ମିଳିଥିଲା। ବିଶେଷକରି ମୁଣ୍ଡରେ ଘଟ କଳସୀ ଧରି, ହାତରେ ବିଭିନ୍ନ ବାଦ୍ୟଯନ୍ତ୍ର ନେଇ ତାଳସହିତ ତାଙ୍କର ଅଭିନବ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା ।
ଏହି ସୁଯୋଗରେ ଭିକାରୀ ଚରଣ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଓଡ଼ଗାଁ ତହସିଲଦାର ଡ଼. ମାନସ ରଞ୍ଜନ ଭୋଇଙ୍କ ଦ୍ୱାରା ଲଡୁ କିଶୋର ପଢ଼ିଆରୀ ଓ ତାଙ୍କ ସହଯୋଗୀମାନଙ୍କୁ ଉପହାର ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଆଦିପୁର ଗ୍ରାମରେ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିବା ଲଡୁ କିଶୋର ଯୁବାବସ୍ଥାରୁ ଲୋକକଳା ପ୍ରତି ଆକର୍ଷିତ ହୋଇ ଏହାର ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିଥିଲେ। ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ସେବା ସହିତ ସମାନାନ୍ତରାଳରେ ସେ ଲୋକସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଜୀବନର ଲକ୍ଷ୍ୟ କରିଥିଲେ। ବର୍ତ୍ତମାନ ୭୪ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ସେ କଳା ଓ ସଂସ୍କୃତିର ସେବାରୁ ପଛୁଆ ପଡ଼ିନାହାନ୍ତି। ବାଦ୍ୟଯନ୍ତ୍ର ଶିଳ୍ପୀ, ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ନାଟ୍ୟକାର, ନିର୍ଦ୍ଦେଶକ, କବି ଓ ସଂଗଠକ ଭାବେ ସେ ଅନେକ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ‘ମଧୁର ଝଙ୍କାର’ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଭାବେ ସେ ଦୀର୍ଘଦିନ ଧରି କାର୍ଯ୍ୟରତ ରହିଛନ୍ତି। ସାହିତ୍ୟରଥ, ବିଦଗ୍ଧ କଳାକାର, ବାଣୀରତ୍ନ, ବାଣୀ ବିଭୂଷଣ, କଳା କଳ୍ପଦ୍ରୁମ, କଳା ବିଭୂଷଣ ପରି ଅନେକ ସମ୍ମାନରେ ସମ୍ମାନିତ ହୋଇଥିବା ଲଡୁ କିଶୋର ଏବେ ବୟସାଧିକ୍ୟ ସତ୍ତ୍ୱେ ତାଙ୍କ ସ୍ତ୍ରୀ ଓ ସହକର୍ମୀମାନଙ୍କ ସହଯୋଗରେ ଲୋକକଳାର ପ୍ରଚାର ପ୍ରସାରକୁ ଜାରି ରଖିଛନ୍ତି। ତାଙ୍କ ଏହି ଅବିରତ ପ୍ରୟାସ ସ୍ଥାନୀୟ ଲୋକକଳାକୁ ଜୀବନ୍ତ ରଖିବା ସହିତ ନୂତନ ପିଢ଼ୀକୁ ଏଥି ପ୍ରତି ଆକର୍ଷିତ କରିବାରେ ବିଶେଷ ଭୂମିକା ନିଭାଇ ପାରିବ ।

Leave A Reply

Your email address will not be published.