ଓଡଗାଁ, ୩୦।୩(ଶ୍ରୀକାନ୍ତ କୁମାର ମିଶ୍ର): ଡିଜିଟାଲ ଯୁଗର ଦ୍ରୁତ ଗତିରେ ଯେଉଁଠି ଅନେକ ପାରମ୍ପରିକ ଲୋକକଳାକୁ ବିଲୁପ୍ତ କରିଦେଉଛି, ସେଠି ବହୁପୁରାତନ ଗୋବର କଣ୍ଢେଇ ପରି ପ୍ରାଚୀନ ହସ୍ତକଳା ଆଜିବି କିଛି କଳାକାରଙ୍କ ଅଦମ୍ୟ ପ୍ରୟାସରେ ବଞ୍ଚି ରହିଛି। ଗତ ୨୯ ତାରିଖରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ସମୟରେ ଏହିପରି ଏକ ଦୃଶ୍ୟ ସ୍ଥାନୀୟ ଲୋକମାନଙ୍କ ମନକୁ ଛୁଇଁଥିଲା। ମନ୍ଦିର ନିକଟରେ ଏକ ବୃଦ୍ଧ ଦମ୍ପତି ନିଜ ହାତରେ ତିଆରି ଗୋବର କଣ୍ଢେଇର ଛୋଟ ପସରା ମେଲାଇ ଗ୍ରାହକଙ୍କ ଅପେକ୍ଷାରେ ବସିଥିବା ଦେଖିବାକୁ ମିଳିଥିଲା। ଚିହ୍ନା ପରିଚିତ ଗ୍ରାହକଙ୍କୁ ଦେଖି ସେମାନଙ୍କ ମୁହଁରେ ଖୁସି ଫୁଟିଉଠୁଥିଲା ଓ ନୂଆ ତିଆରି ହୋଇଥିବା କଣ୍ଢେଇଗୁଡ଼ିକ ଦେଖାଇବାରେ ବ୍ୟସ୍ତ ହେଉଥିଲେ। କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ କିଛି ଲୋକ କଣ୍ଢେଇ କିଣିବାରୁ ଆଉ କିଛି ଗ୍ରାହକ ମଧ୍ୟ ସେଠାରେ ଭିଡ଼ କରିଥିଲେ। ଏହି କଣ୍ଢେଇଗୁଡ଼ିକ ଦେଖିବାକୁ ସୁନ୍ଦର, ହାଲୁକା ଓ ଦୃଢ଼ ହେବା ସହିତ ଦାମ ମଧ୍ୟ କମ୍ ଥିବାରୁ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବୃଦ୍ଧ ଦମ୍ପତି ଅଧିକ ଅର୍ଥ ଉପାର୍ଜନ ପାଇଁ ଅନ୍ୟ କୌଣସି କାମ ବାଛିପାରିଥାନ୍ତେ, ମାତ୍ର ପାରମ୍ପରିକ କଳାକୁ ବଞ୍ଚାଇ ରଖିବାରେ ସେମାନଙ୍କ ନିଷ୍ଠା ପ୍ରଶଂସନୀୟ। ସେମାନଙ୍କର ସରଳ ବ୍ୟବହାର ଓ ଗ୍ରାହକମୁଖୀ ମନୋଭାବ ହିଁ ଏହି ପୁରୁଣା କଳାର ବଜାରକୁ ଆଜିବି ବଞ୍ଚାଇରଖିବାରେ ସାହାଯ୍ୟ କରୁଛି ନିଶ୍ଚୟ । ପରିବେଶ ଅନୁକୂଳ ଓ ସସ୍ତା ଏହି କଣ୍ଢେଇଗୁଡ଼ିକୁ ଅଧିକ ପ୍ରଚାର ପ୍ରସାରର ସୁଯୋଗ ମିଳିଲେ ଏହି କଳା ଆଗାମୀ ଦିନରେ ନୂଆ ପିଢ଼ୀ ପାଇଁ ପ୍ରେରଣା ହୋଇପାରିବ ଲୋକମାନେ ମତ ରଖିଥିଲେ । ପରିବେଶ ବିତ୍ ସୁକାନ୍ତ ଚୌଧୁରୀ ସଂରକ୍ଷଣ ନିମନ୍ତେ କିଛି ସାମଗ୍ରୀ କିଣି ତାଙ୍କୁ ଉତ୍ସାହିତ କରିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ କିଣି ବିଲୁପ୍ତ ପଥରେ ଥିବା ଆମ ପାରମ୍ପରିକ କଳାକୁ ଉଜ୍ଜିବିତ କରି ଉତ୍କଳର ଗୌରବକୁ ଅଟୁଟ ରଖିବାରେ ସହଯୋଗର ହାତ ବଢାଥିବା ଦେଖାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ପ୍ରଚାରକ ଇଂ ଲଡୁକିଶୋର, ବୟସାଧିକ୍ୟରେ ଜାରି ରଖିଛନ୍ତି ପ୍ରଚାର କାର୍ଯ୍ୟ
Next Post