କେନ୍ଦ୍ରାପଡ଼ା:୦୭,୦୩(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗର ଜଣେ ଇଞ୍ଜିନିୟରଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜଳ ସମ୍ପଦ ବିଭାଗର କେନ୍ଦ୍ରାପଡ଼ା ଡିଭିଜନ ଅଧିନସ୍ଥ ଡେରାବିଶ ସବ୍ଡିଭିଜନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ପ୍ରମୋଦ ରାୟଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ସଂଗ୍ରହ ଅଭିଯୋଗ ଆସିଥିବାରୁ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ବିଭାଗର ଅନେକ ଟିମ ଏକାସାଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ତାଙ୍କର ଘର ଓ ସମ୍ପର୍କୀୟଙ୍କ ଘରେ ତଲାସି ଚାଲାଇଛନ୍ତି। ଭୁବନେଶ୍ୱର ବାଲିଅନ୍ତା ପାହଳ ଅଞ୍ଚଳରେ ଥିବା ତାଙ୍କର ଚାରି ମହଲା ବିଶିଷ୍ଟ ଘର, କଟକ ଚୌଦ୍ୱାରରେ ଥିବା ଦୁଇ ମହଲା ଘର, କଟକ ଜିଲ୍ଲା ବାଙ୍କୀରେ ଥିବା ପୈତୃକ ଘର ସହିତ ଭଦ୍ରକ, ଢେଙ୍କାନାଳ ଓ ଭୁବନେଶ୍ୱର ପଟିଆରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ଏହା ସହ କେନ୍ଦ୍ରାପଡ଼ାରେ ଥିବା ତାଙ୍କର କାର୍ଯ୍ୟାଳୟ ଚାମ୍ବରରେ ମଧ୍ୟ ତଦନ୍ତ ଚାଲିଛି। ଚଢ଼ାଉ ସମୟରେ ଭିଜିଲାନ୍ସ ଅଧିକାରୀମାନେ ଘର ଓ କାର୍ଯ୍ୟାଳୟରୁ ନଗଦ ଟଙ୍କା, ଜମି ଜାଗା ସମ୍ପର୍କୀୟ ଦଲିଲପତ୍ର, ବ୍ୟାଙ୍କ ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସମ୍ପର୍କରେ ଯାଞ୍ଚ କରୁଥିବା ଜଣାପଡ଼ିଛି। ଭିଜିଲାନ୍ସର ଏହି ଅଚମ୍କା ଚଢ଼ାଉ ପରେ ଜଳ ସମ୍ପଦ ବିଭାଗରେ ଚଞ୍ଚଳତା ସୃଷ୍ଟି ହୋଇଛି। ତେବେ ଚଢ଼ାଉ ସମୟରେ କେତେ ପରିମାଣର ସମ୍ପତ୍ତି ମିଳିଛି ସେନେଇ ଏପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଥ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.