କିଡନୀ ରୋଗରେ ପୀଡ଼ିତ ଗ୍ରାମବାସୀଙ୍କ ଦୁଃଖ ବୁଝିବାକୁ ଗାଁରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ

7

୧୦ଟି ପରିବାରର ସ୍ଥାନାନ୍ତର ପାଇଁ ତହସିଲଦାରଙ୍କ ସହ ଆଲୋଚନା , ପ୍ରଭାବିତଙ୍କୁ ଆଶ୍ୱାସନ ଦେଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୂଷିତ ପାନୀୟ ଜଳ ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଗ୍ରାମବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶା ବୁଝିବା ପାଇଁ ଗ୍ରାମରେ ପହଞ୍ଚିଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତର ରାମିୟାଗୁଡ଼ା ଗ୍ରାମରେ ଏଭଳି ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଦୂଷିତ ପାଣି ବ୍ୟବହାର ଯୋଗୁଁ ଗ୍ରାମର କିଛି ଲୋକ ଯକୃତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଖବର ପାଇବା ପରେ ବିଧାୟକ ଗ୍ରାମକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ଗ୍ରାମରେ ପହଞ୍ଚି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଭାବିତ ପରିବାରର ସଦସ୍ୟ ଓ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଦୀର୍ଘଦିନ ଧରି ଏଭଳି ସମସ୍ୟା ମଧ୍ୟରେ ରହି ରୋଗ ଓ ଭୟରେ ଜୀବନ ବିତାଉଥିବା ଗ୍ରାମବାସୀ ନିଜ ଦୁଃଖ ଓ ଅସୁବିଧା ବିଧାୟକଙ୍କ ନିକଟରେ ଜଣାଇଥିଲେ। ଦୂଷିତ ପାଣି ଓ ଅସୁରକ୍ଷିତ ପରିବେଶ ମଧ୍ୟରେ ରହିବାକୁ ଆଉ ଇଚ୍ଛା ନଥିବାରୁ ସେମାନେ ଗ୍ରାମରୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲେ।
ଗ୍ରାମବାସୀଙ୍କ ଏହି ଦାବିକୁ ଗୁରୁତ୍ୱର ସହ ଗ୍ରହଣ କରି ବିଧାୟକ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନେବା ଦିଗରେ ଉଦ୍ୟମ କରିଥିଲେ। ଏନେଇ ସେ କାଶୀନଗର ତହସିଲଦାର ସୁଧୀର କୁମାର ନନ୍ଦଙ୍କ ସହ ଆଲୋଚନା କରିଥିଲେ। ଗ୍ରାମରେ ରହୁଥିବା ପ୍ରାୟ ୧୦ଟି ପରିବାରକୁ ନିକଟସ୍ଥ ଏକ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ନେଇ ଆଲୋଚନା ହୋଇଥିଲା।
କେବଳ ସ୍ଥାନାନ୍ତର ନୁହେଁ, ସୁରକ୍ଷିତ ଜୀବନ ହିଁ ମୁଖ୍ୟ ଲକ୍ଷ୍ୟ
ଏହି ଘଟଣା ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସୁରକ୍ଷାର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି। ରୋଗରେ ଆକ୍ରାନ୍ତ ପରିବାରଗୁଡ଼ିକ କେବଳ ଚିକିତ୍ସା ନୁହେଁ, ବରଂ ଏକ ସୁରକ୍ଷିତ ପରିବେଶରେ ସମ୍ମାନର ସହ ଜୀବନଯାପନ କରିବାକୁ ଆଶା ରଖିଛନ୍ତି। ତେଣୁ ସ୍ଥାନାନ୍ତର ପ୍ରକ୍ରିୟା ସହିତ ପ୍ରଭାବିତଙ୍କ ଚିକିତ୍ସା , ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ଆବଶ୍ୟକୀୟ ସରକାରୀ ସହାୟତା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ।
ଏହି ଗସ୍ତ ସମୟରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ସହ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା ଏବଂ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗ୍ରାମବାସୀଙ୍କ ଏହି ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ ହେବା ସହ ୧୦ଟି ପରିବାର ଶୀଘ୍ର ଏକ ସୁରକ୍ଷିତ ସ୍ଥାନରେ ନୂତନ ଜୀବନ ଆରମ୍ଭ କରିପାରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.