ବରଗଡ଼ରେ ପୁଣି ଛୁରା ମାଡ଼: ନିଶାଖୋରଙ୍କ ଆକ୍ରମଣରେ ଟ୍ରକ୍ ଡ୍ରାଇଭର ଗୁରୁତର

0 2

ବରଗଡ଼ ୦୭/୦୩ – ବରଗଡ଼ ଜିଲ୍ଲାରେ ପୁଣିଥରେ ଛୁରା ମାଡ଼ ଘଟଣା ଦେଖିବାକୁ ମିଳିଛି! ଏହି ଘଟଣା ଏଵେ ସହରରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଶାଖୋର ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଜଣେ ଟ୍ରକ୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଟ୍ରକ୍ ଡ୍ରାଇଭର ରଞ୍ଜନ ପରିଡ଼ା ଭୁବନେଶ୍ୱରରୁ ଟ୍ରକ୍ ନେଇ ବରଗଡ଼ ଆକାଶ ମୋଟର୍ସକୁ ଆସୁଥିଲେ। ସେ ବରଗଡ଼ ସହର ନିକଟସ୍ଥ ଘୁଲିପାଲି ଛକ ପାଖରେ ପହଞ୍ଚିବା ବେଳେ କିଛି ନିଶାଖୋର ଦୁର୍ବୃତ୍ତ ଟ୍ରକ୍‌ଟିକୁ ଅଟକାଇଥିଲେ ଓ ପାଣି ମାଗିଥିଲେ! ପାଣି ଦେବାପାଇଁ ଡ୍ରାଇଭର ଗେଟ ଖୋଲିବା ପରେ ସେମାନେ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟ କରିବାକୁ ଉଦ୍ୟମ କରିଥିଲେ।କିନ୍ତୁ ଡ୍ରାଇଭର ରଞ୍ଜନ ପରିଡ଼ା ଦୁର୍ବୃତ୍ତମାନଙ୍କ ଉଦ୍ୟମକୁ ବିରୋଧ କରିଥିବାରୁ ସେମାନେ ରାଗି ଯାଇ ତାଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଛୁରୀ ମାଡରେ ତାଙ୍କ ଶରୀରର ତିନୋଟି ସ୍ଥାନରେ ଗୁରୁତର ଆଘାତ ଲାଗିଛି। ତାପରେ ମଧ୍ୟ ଡ୍ରାଇଭର ପ୍ରତି ଆକ୍ରମଣ କରିଥିଲେ, ଯାହାଦ୍ୱାରା ଦୁର୍ବୃତ୍ତମାନେ ଲୁଟ କରିନପାରି ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଆହତ ଟ୍ରକ୍ ଡ୍ରାଇଭରଙ୍କ ନାମ ରଞ୍ଜନ ପରିଡ଼ା ଓ ସେ କଟକ ଜିଲ୍ଲା ଚୌଦ୍ୱାର ର ବାସିନ୍ଦା ବୋଲି ଜଣାପଡ଼ିଛି। ଆହତ ଅବସ୍ଥାରେ ଟ୍ରକ ଡ୍ରାଇଭର ଟ୍ରକକୁ ଠିକଣା ସ୍ଥାନରେ ଲଗାଇଥିଲେ ! ସେଠାରୁ ତୁରନ୍ତ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।ଏହି ଘଟଣା ପରେ ଅଞ୍ଚଳରେ ଭୟର ପରିବେଶ ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକେ ଏପରି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବରଗଡ଼ ସହର ଓ ପାଖପାଖି ଅଞ୍ଚଳରେ ଏପରି ଲୁଟ ଓ ଆକ୍ରମଣ ଘଟଣା ବଢ଼ୁଥିବାରୁ ଲୋକମାନେ ଅସୁରକ୍ଷିତ ବୋଧ କରୁଛନ୍ତି।ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚାରିପାଖ ଅଞ୍ଚଳରେ ତଦନ୍ତ ଓ ଖୋଜାଖୋଜି ଜାରି ରଖିଛି। ତେବେ ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.