ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ପର୍ବ ୨୦୨୬ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 2

ଭୋଗରାଇ, ତା.୭/୩/୨୬_: ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚଡ଼କ ପର୍ବ–୨୦୨୬ ଉତ୍ସବ ପାଳନ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଚନ୍ଦନେଶ୍ୱର ସ୍ଥିତ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି।
ସେବାୟତ ସଂଘର ମୌରସୀ ତଥା ଅଧ୍ୟକ୍ଷ ଶ୍ରୀ ତପନ କୁମାର ପଣ୍ଡା ଚଡ଼କ ମେଳାର ସମ୍ପୂର୍ଣ୍ଣ ସୂଚୀ ନିର୍ଘଣ୍ଟ ପାଠ କରିଥିଲେ। ତହସିଲଦାର ତଥା ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟ କୁମାର ନାୟକ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସଭାର ପରିଚାଳନା କରିଥିଲେ। ଉପମୌରସୀ ଶ୍ରୀ ବୁଦ୍ଧଦେବ ପଣ୍ଡା ଚଡ଼କ ମେଳାର ଐତିହ୍ୟ ଓ ଏହାର ଆଧ୍ୟାତ୍ମିକ ମାହାତ୍ମ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
ଏହି ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ ସଭାପତିତ୍ୱ କରିଥିଲେ।
ପୋଲିସ ବିଭାଗ ପକ୍ଷରୁ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବଜ୍ୟୋତି ଦାଶ ଓ ଏସଡିପିଓ ଶ୍ରୀ ସୁବ୍ରତ କୁମାର ବେହେରା ଆଇନ-ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଡ୍ରୋନ ଓ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ମତପ୍ରକାଶ କରିଥିଲେ। ଗତ ବର୍ଷ ତୁଳନାରେ ଏହିବର୍ଷ ଅଧିକ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ। ସେହିପରି ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ମାନ୍ୟବର ବିଧାୟକ ରାସ୍ତା କଡ଼ାରେ ପାର୍କିଂ ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା, ପାଣି ଓ ସାନିଟେଶନ ସହ ରାସ୍ତା ମରାମତି ସମ୍ପର୍କରେ ସମ୍ବନ୍ଧିତ ଅଧିକାରୀମାନଙ୍କଠାରୁ ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଗ୍ରହଣ କରିଥିଲେ। ପରେ ବିଦ୍ୟୁତ୍, ଜଳ ଯୋଗାଣ, ଟାଟା ପାୱାର ସହିତ ଅନ୍ୟାନ୍ୟ ବିଭାଗ ମେଳା ପାଇଁ ନିଜନିଜ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ, ଡାକ୍ତରୀ ଟିମ୍, ଔଷଧ ଶିବିର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା। ଜଳ ଯୋଗାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଟଏଲେଟ୍ ବ୍ୟବସ୍ଥା ଓ ପାଣି ଯୋଗାଣ ସମ୍ପର୍କରେ ଅବଗତ କରାଇଥିଲେ।
ଶେଷରେ ଉପଜିଲ୍ଲାପାଳ ଶ୍ରୀ ମାଲବ୍ୟ ସମସ୍ତ ବିଭାଗର ଉତ୍ତମ ସମନ୍ୱୟ ମାଧ୍ୟମରେ ଚଡ଼କ ପର୍ବର ସୁଚାରୁ ଓ ସଫଳ ଆୟୋଜନ ପାଇଁ ଆଶା ପ୍ରକାଶ କରିଥିଲେ।

Leave A Reply

Your email address will not be published.