ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ–ପୁଅଙ୍କ ମୃତ୍ୟୁ ଘଟଣା,

2
  • ଶବ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ,

  • ମଶାଣିରେ ଜଳିଲା ୨ଟି ଜୁଇ

  • ଲୁହରେ ଭିଜିଲା ମଶାବାରୀ ଗାଁ,

ଓଡ଼ଗାଁ, ୩୦।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ପୁର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଗୁରୁବାର ରାତି ପ୍ରାୟ ୮.୩୦ ବେଳେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରରୁ ବାପ–ପୁଅଙ୍କ ମୃତ୍ୟୁ ଘଟିଛି।
ମଶାବାରୀ ଗ୍ରାମ ରୋଡ଼ସାହିର ନିବାସୀ ଲକ୍ଷ୍ମୀଧର ବିଶୋଇ (୪୫) ତାଙ୍କ ବାପା ବୃନ୍ଦାବନ ବିଶୋଇ (୭୦)ଙ୍କ ସହ ବାଇକରେ ବସି ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ପାଇଁ ଘରଠାରୁ ମାତ୍ର ୩ଶହ ମିଟର ଦୂର କୈବଲ୍ୟପୁର ଗାଁକୁ ଯାଉଥିଲେ। ଘରଠାରୁ ପ୍ରାୟ ୨ଶହ ମିଟର ଯିବା ପରେ ସାମ୍ନାପାଖରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଭୟଙ୍କର ଧକ୍କା ହେବାରୁ ଦୁଇଟି ବାଇକରେ ଥିବା ୪ଜଣ ଯାକ ରାସ୍ତାର ଏଣେତେଣେ ଫିଙ୍ଗିହୋଇ ପଡ଼ିଥିଲେ।
ଖବର ପାଇ ଲକ୍ଷ୍ମୀଧରଙ୍କ ପରିବାର ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଲକ୍ଷ୍ମୀଧର ଓ ବୃନ୍ଦାବନଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଂଗେସଂଗେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟ ବାପ–ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ବାଇକର ଓଡ଼ଗାଁ ଏନ୍ଏସି ଖଜୁରୀଆ ଗ୍ରାମର ଗୁରୁତର ଆହତ ମୁନା ବାରିକ (୨୦)ଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଦିନ ଶବ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଥିଲେ। ଗାଁ ଦାଣ୍ଡ, ବାରଣ୍ଡା ଓ ସାହିସାହିରେ ମହିଳାମାନଙ୍କ ଆଖିର ଲୁହରେ ମଶାବାରୀ ଗାଁ ଭିଜିଯାଇଥିଲା। ପଥର ମଧ୍ୟ ପାଣି ଫାଟିଗଲା ପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ପଞ୍ଚାୟତ ସାରା ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏକାସାଙ୍ଗେ ମଶାଣିରେ ୨ଟି ଜୁଇ ଜଳିଥିବା ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଦେଇଥିଲା। କିଛି ସମୟ ପାଇଁ ସମଗ୍ର ଗାଁ ନିର୍ବାକ ହୋଇଯାଇଥିଲା । ଘରର ରୋଜଗାରକ୍ଷମ ବ୍ୟକ୍ତି ଲକ୍ଷ୍ମୀଧର ବିଶୋଇଙ୍କ ମୃତ୍ୟୁ ପରେ ତାଙ୍କ ଦୁଇଟି ଶିଶୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ —
“ଏହି ଦୁଇଟି ଛୁଆ କିପରି ପାଠ ପଢ଼ି ମଣିଷ ହେବେ?” ।

Leave A Reply

Your email address will not be published.