ଆର ଟି ଓ ଙ୍କ ଆଗରେ ମାଲିକଙ୍କ ସ୍ୱୀକାରୋକ୍ତି; ଅଣ୍ଡରଟେକିଂ ପରେ ବି ପ୍ରତିଶ୍ରୁତି ଭୁଲିଗଲେ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା
ବିନା ଲାଇସେନ୍ସରେ କଣ୍ଡକ୍ଟର ନିଯୁକ୍ତି, ମହିଳା ଯାତ୍ରୀଙ୍କୁ ଅସଦାଚରଣ, ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଭଡା ଆଦାୟ !
ବେଲଗୁଣ୍ଠା,28/11,-(ଶିବରାମ ଚୌଧୁରୀ )-ଯାତ୍ରୀଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ବିଶେଷକରି ମହିଳା ଯାତ୍ରୀଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ ଏବଂ ବିନା ଲାଇସେନ୍ସରେ କଣ୍ଡକ୍ଟର ନିଯୁକ୍ତି ଭଳି ସଙ୍ଗୀନ ଅଭିଯୋଗକୁ ନେଇ ଚର୍ଚ୍ଚାରେ ରହିଛି ‘ଚିକମିକ୍’ ଯାତ୍ରୀବାହୀ ବସ୍। OD-07-AS-9615 ନମ୍ବର ବିଶିଷ୍ଟ ଏହି ବସ୍ରେ ଘଟିଥିବା ଘଟଣାକୁ ନେଇ ଅଭିଯୋଗକାରୀ ଛତ୍ରପୁର RTOଙ୍କ ଦ୍ୱାରସ୍ଥ ହୋଇଥିବାବେଳେ, ଏବେ ମାଲିକଙ୍କ ଅଣ୍ଡରଟେକିଂ ଓ ପରବର୍ତ୍ତୀ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଗତ ୧୧ ଅକ୍ଟୋବର ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ରେ ବ୍ରହ୍ମପୁରରୁ ବେଲଗୁଣ୍ଠା ଯାଉଥିବାବେଳେ ବସ୍ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ କଣ୍ଡକ୍ଟର ଟିକେଟ୍ ନଦେଇ ୧୦୦ ଟଙ୍କା ଦାବି କରିଥିଲେ। ଏହାକୁ ନେଇ ପ୍ରତିବାଦ କରିବାରୁ ଏବଂ ଟିକଟ ମାଗିବାରୁ କଣ୍ଡକ୍ଟର ଅସଦାଚରଣ, ଅଶାଳୀନ ଭାଷା ପ୍ରୟୋଗ ଆଦି କରିବା ଅଭିଯୋଗ ହୋଇଥିଲା । ଏପରିକି ଧମକ ଦେବା ସହ ବସ୍ରେ ଅନିୟନ୍ତ୍ରିତ ଗାଡ଼ିଚାଳନା ଏବଂ ଚାଳକ ଓ କଣ୍ଡକ୍ଟରଙ୍କ ନିର୍ଦ୍ଧାରିତ ପୋଷାକ ନପିନ୍ଧିବା ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ଘଟଣା ପରେ ଅଭିଯୋଗକାରୀ ବସ୍ ମାଲିକ ଏସ୍. ସୁଦର୍ଶନ ପୁଷ୍ଟିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ବସ ମାଲିକ ବେପରୁଆ ଭାବେ ଆଚରଣ କରିଥିଲେ । ପରେ ଅଭିଯୋଗ କାରୀ ଛତ୍ରପୁର RTOଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । RTOଙ୍କ ସମ୍ମୁଖରେ ବସ୍ ମାଲିକ ନିୟମ ପାଳନ କରିବା, ଭବିଷ୍ୟତରେ ଏଭଳି ଘଟଣା ନଘଟିବା ଏବଂ ପ୍ରଭାବିତ ବ୍ୟକ୍ତିଙ୍କୁ କ୍ଷମା ମାଗିବା ସମ୍ପର୍କରେ ଲିଖିତ ଅଣ୍ଡରଟେକିଂ ବସ ମାଲିକ ଦେଇଥିବା ଅଭିଯୋଗକାରୀ କହିଛନ୍ତି।
ତେବେ ଏହି ଅଣ୍ଡରଟେକିଂ ପରେ ମଧ୍ୟ ମାଲିକଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି କ୍ଷମାପ୍ରାର୍ଥନା କିମ୍ବା ଆନୁଷ୍ଠାନିକ ଯୋଗାଯୋଗ ହୋଇନଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ଆହୁରି ଅଭିଯୋଗ ଯେ, ମାମଲାକୁ ଆଗକୁ ନବଢ଼ାଇବା ପାଇଁ ମାଲିକ ତାଙ୍କୁ ଘରକୁ ଆସି କିଛି ଟଙ୍କା ନେଇ ଘଟଣାଟିକୁ ଶେଷ କରିଦେବାକୁ କହିଥିଲେ। ଏହା ସହ ପରୋକ୍ଷ ଧମକ ଦିଆଯାଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ଆଉ ଏକ ଗୁରୁତର ଦିଗ ସାମ୍ନାକୁ ଆଣିଛନ୍ତି ଅଭିଯୋଗକାରୀ। ତାଙ୍କ କହିବା ଅନୁଯାୟୀ, କଣ୍ଡକ୍ଟରଙ୍କ ପାଖରେ ଆବଶ୍ୟକ କଣ୍ଡକ୍ଟର ଲାଇସେନ୍ସ ନଥିବା କଥା ବସ୍ ମାଲିକ RTOଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ। ଯଦି ଏହା ସତ୍ୟ, ତେବେ ନିୟମ ଉଲ୍ଲଂଘନ କରି ବିନା ଆବଶ୍ୟକ ଲାଇସେନ୍ସରେ କଣ୍ଡକ୍ଟର ନିଯୁକ୍ତି କିପରି ଦିଆଗଲା, ତାହା ଏବେ ବଡ଼ ପ୍ରଶ୍ନ। ଏହାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
ଅନ୍ୟପଟେ, ଏହି ମାମଲାରେ RTOଙ୍କ ଭୂମିକାକୁ ଅଭିଯୋଗକାରୀ ସକାରାତ୍ମକ ଭାବେ ଦେଖିଛନ୍ତି। ଅଭିଯୋଗ ଶୁଣିବା, ମାଲିକଙ୍କଠାରୁ ଲିଖିତ ଅଣ୍ଡରଟେକିଂ ନେବା ଏବଂ ପୁନର୍ବାର ୨୫ ନଭେମ୍ବରରେ ଅଭିଯୋଗ ଜଣାଇବା ପରେ ଉପଯୁକ୍ତ ପଦକ୍ଷେପର ଆଶ୍ୱାସନା ଦେବା RTOଙ୍କ ଦାୟିତ୍ୱବୋଧର ପରିଚୟ ବୋଲି ସେ କହିଛନ୍ତି। ତେବେ ଏବେ ଆଶ୍ୱାସନା ନୁହେଁ, ଠୋସ୍ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା।
ଅଭିଯୋଗକାରୀ ଏହି ଘଟଣା ସମ୍ପର୍କରେ ବେଲଗୁଣ୍ଠା ଥାନାରେ FIR ଦାଖଲ କରିବାକୁ ମଧ୍ୟ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି। ମହିଳା ଯାତ୍ରୀଙ୍କ ସୁରକ୍ଷା, ଯାତ୍ରୀଙ୍କଠାରୁ ନିୟମସମ୍ମତ ଭଡ଼ା ଆଦାୟ, ଟିକେଟ୍ ପ୍ରଦାନ ଏବଂ ଯୋଗ୍ୟତାପ୍ରାପ୍ତ କର୍ମଚାରୀ ନିଯୁକ୍ତି ଭଳି ବିଷୟରେ ପରିବହନ ବିଭାଗ କଡ଼ା ନଜର ରଖିବା ଜରୁରୀ। ଅଣ୍ଡରଟେକିଂ ଦେବା କେବଳ କାଗଜରେ ସୀମିତ ରହିବ ନା ତାହାର ପାଳନ ମଧ୍ୟ ହେବ—ଏହାର ଉତ୍ତର ଏବେ ସମ୍ପୃକ୍ତ ବସ୍ ମାଲିକ ଓ ପରିବହନ ବିଭାଗକୁ ଦେବାକୁ ପଡ଼ିବ।
ଯାତ୍ରୀଙ୍କ ସୁରକ୍ଷା କୌଣସି ମାଲିକଙ୍କ ଦୟା ନୁହେଁ, ଏହା ତାଙ୍କର ଆଇନଗତ ଓ ନୈତିକ ଦାୟିତ୍ୱ।