ବାଇକ୍ରେ ବାଜି ଭାଙ୍ଗିଲା ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଲୋକେ,
ଓଡ଼ଗାଁ, ୨୮।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୈ।ଡପୁଟ ପଞ୍ଚାୟତ ଟିକରପଲ୍ଲୀ ଛକରେ ଶନିବାର ସନ୍ଧ୍ୟାରେ ଦୁଇଦୁଇ ଥର ବୋମାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ଏକ ବାଇକ୍ର କେତେକ ଅଂଶ ଭାଙ୍ଗିରୁଜି ଯାଇଛି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଟିକରପଲ୍ଲୀ ଛକସ୍ଥିତ ସିମେଣ୍ଟ ପୋଲ ବେଞ୍ଚ ଉପରେ ସାହିର କେତେକ ଯୁବକ ବସି ଆଳାପ ଆଲୋଚନା କରୁଥିଲେ। ଏହି ସମୟରେ ବାଇକ୍ରେ ବୁଢ଼ାବୁଢ଼ୀ ଆଣି ରାସ୍ତାରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ସେଠାରେ ବସିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏକ ବୋମା ଫିଙ୍ଗିଥିବା ଜଣାପଡିଛି । ବୋମାଟି କାହାରି ଦେହରେ ନବାଜି ଜୋର୍ ଶବ୍ଦରେ ଫୁଟିଥିଲା। ଏହି ଘଟଣାକୁ ନେଇ ସେଠାରେ ଆଲୋଚନା ଚାଲିଥିବା ବେଳେ କିଛି ସମୟ ପରେ ପୁଣି ଥରେ ବୋମାମାଡ଼ ହୋଇଥିଲା। ଦ୍ୱିତୀୟ ବୋମାଟି ସେଠାରେ ଥୁଆ ହୋଇଥିବା ଓଆର ୦୨ ବିକ୍ୟୁ ୮୭୪୭ ନମ୍ବର ବିଶିଷ୍ଟ ଏକ ବାଇକ୍ରେ ବାଜିବାରୁ ଗାଡ଼ିର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ଲୋକ ଆହତ ହୋଇନଥିବା ଜଣାପଡ଼ିଛି। ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ର କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପରବର୍ତ୍ତୀ ସମୟରେ କେଉଁ କାରଣରୁ ଏଠାରେ ବୋମାମାଡ ହେଲା । କିଏ ବୋମାମାଡ କଲା, ତାହାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି।